ରୁଷ-ୟୁକ୍ରେନ ଯୁଦ୍ଧ: ରାସ୍ତାରେ ପଡ଼ିଥିବା ଶବକୁ ଝୁଣି ଝୁଣି ଖାଇଲେଣି କୁକୁର; ୧୪ ଦିନ ଯୁଦ୍ଧରେ ୟୁକ୍ରେନର ହୋଇଗଲା ଏମିତି ଅବସ୍ଥା

ଅତି ଭୟାନକ ଏହି ଦୃଶ୍ୟ। ଚାରିଆଡ଼େ ଧ୍ୱଂସର ତାଣ୍ଡବ। ଭୂଇଁରେ ଲୋଟି ପଡ଼ିଛି ଉଚ୍ଚ ଉଚ୍ଚ ଅଟ୍ଟାଳିକା। ସବୁଠି ପୀଡ଼ା ଆଉ ଯନ୍ତ୍ରଣା। ସାଧାରଣ ନାଗରିକଙ୍କର ହାହାକାର ଅବସ୍ଥା। ଏହାରି ଭିତରେ ଦେଶ ଛାଡ଼ି ଗଲେଣି ଲକ୍ଷ ଲକ୍ଷ ଲୋକ। ଲଗାତାର ରୁଷର ଆକ୍ରମଣରେ ଧରାଶାୟୀ ହୋଇପଡ଼ିଛି ୟୁକ୍ରେନ। ମିସାଇଲ ମାଡ଼ରେ ରାଜଧାନୀ କିଭ୍ର ପାଓ୍ଵାର ହାଉସ୍ ବର୍ବାଦ ହୋଇଯାଇଛି। ବିଜୁଳି ନାହିଁ କି ପାଣି ନାହିଁ। ଖାଦ୍ୟପେୟ ପାଇଁ ବି କେହି କିଛି ବନ୍ଦୋବସ୍ତ କରିପାରୁ ନାହାନ୍ତି। ଜୀବନ ବଞ୍ଚାଇବା ପାଇଁ ଲୋକେ ନିଜ ଜୀବନକୁ ବି ବାଜି ଲଗାଇ ଦେଉଛନ୍ତି।
କିଭ୍ର ଉପନଗର ବୁଚାର ମେୟର ଅନାତୋଲ ଫେଦୋରୁକ କହିଛନ୍ତି, ଏଠାରେ ପରିସ୍ଥିତି ଏକଦମ୍ ଖରାପ ରହିଛି। ରୁଷୀୟ ସେନା ଦିନରାତି ବୋମା ଓ ମିସାଇଲ ମାଡ଼ କରି ଚାଲିଛନ୍ତି। ଏହି କାରଣରୁ ଆମେ ମୃତଦେହଗୁଡ଼ିକୁ ବି ଏକତ୍ରିତ କରିପାରୁ ନାହୁଁ। ରାସ୍ତା ଉପରେ ପଡ଼ିଥିବା ଶହ ଶହ ଶବକୁ କୁକୁରମାନେ ଝୁଣି ଝୁଣି ଖାଉଛନ୍ତି।
୪୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ
ମିଳିତ ଜାତିସଂଘ ସୋମବାର ୪୦୬ ନାଗରିକଙ୍କ ମୃତ୍ୟୁ ଘଟିଥିବା ନେଇ ନିଶ୍ଚିତ କରିଥିଲା। ୮୦୧ ଆହତ ବୋଲି ଦର୍ଶାଇଥିଲା। ଯଦିଓ ବାସ୍ତବିକ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ୟୁକ୍ରେନରେ ଯୁଦ୍ଧ ମାହୋଲ ଭିତରେ ଲୋକ ମାନେ ନା କେବଳ ଦେଶ ଛାଡ଼ି ପଳାଉଛନ୍ତି, ବରଂ ୟୁକ୍ରେନ ଭିତରେ ମଧ୍ୟ ବସ୍ ଏବଂ ଟ୍ରେନ ଯୋଗେ ପଶ୍ଚିମ ସହର ଲୁଭୟୁ ଅଭିମୁଖେ ଯାତ୍ରା କରୁଛନ୍ତି। ଲଭିଭ୍ର ମେୟର ଆନ୍ଦ୍ରେ ସଦୋଭି କହିଛନ୍ତି, ଏଠାରେ ପାଖାପାଖି ୨ ଲକ୍ଷ ଲୋକ ଘର ଛାଡ଼ି ପଳାୟନ କରିଛନ୍ତି। ଲୋକେ ବର୍ତ୍ତମାନ ସ୍କୁଲ, ହସ୍ପିଟାଲ ଏବଂ ଖେଳ ପଡ଼ିଆରେ ଲୁଚି ରହିଛନ୍ତି। ସହରରେ ଖାଦ୍ୟ ପ୍ରସ୍ତୁତ ପାଇଁ ରୋଷେଇର କୌଣସି ବ୍ୟବସ୍ଥା ବି ନାହିଁ।