ଭୋଜପୁରୀ ଫିଲ୍ମ ଅଭିନେତାଙ୍କ ଭାଣିଜୀଙ୍କୁ ଜାଳି ମାରିଦେଲେ ଯୌତୁକ ରାକ୍ଷସ, ବାହାଘର ପରଠୁ ଦାବି କରି ଆସୁଥିଲେ ୨ ଲକ୍ଷ ଟଙ୍କା ଓ ବୁଲେଟ୍‌

ବିହାରର ଗୋପାଳଗଞ୍ଜରେ ଯୌତୁକକୁ ନେଇ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି। ଏହି ଅଞ୍ଚଳର ଜଣେ ମହିଳାଙ୍କୁ ଜାଳି ମାରି ଦିଆଯାଇଛି। ମୃତା ହେଲେ ଜଣାଶୁଣା ଭୋଜପୁରୀ ଫିଲ୍ମ ଅଭିନେତା ନାଗେନ୍ଦ୍ର ଉଜାଲାଙ୍କ ଭାଣିଜୀ। ଏହି ମାମଲାରେ ପୋଲିସ ମାମଲା ରୁଜୁ କରି ମୃତାଙ୍କ ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ, ମହିଳାଙ୍କୁ ହତ୍ୟା ପରେ ଶାଶୁଘର ଲୋକେ ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ କରିଦେଇଛନ୍ତି। ଘଟଣା ପରେ ମୃତାଙ୍କ ମା’ଙ୍କ ବୟାନକୁ ଆଧାର କରି ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ସମେତ ୫ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନାଥାଉ କି, ନାଗେନ୍ଦ୍ର ହିଁ ନିଜ ଭାଣିଜୀ ଜୁହୀ କୁଶଓ୍ଵାହାଙ୍କ ବିବାହ ୨୭ ନଭେମ୍ବର, ୨୦୨୦ରେ କୋମଲ ଅଭିଷେକ କୁଶଓ୍ଵାହାଙ୍କ ସହିତ କରାଇଥିଲେ। କିନ୍ତୁ ବାହାଘର ପରଠାରୁ ଜୁହୀଙ୍କ ଶାଶୁଘର ଲୋକ ଅଧିକ ଯୌତୁକ ଦାବିରେ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଦେଇଥିଲେ। ସେମାନେ ୨ ଲକ୍ଷ ଟଙ୍କା ସହ ଏକ ବୁଲେଟ ଗାଡ଼ି ଦାବି କରୁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ତେବେ ଶାଶୁଘର ଲୋକେ ବୋହୂର ମୃତଦେହକୁ ତରବରିଆ ଭାବେ ଅନ୍ତିମ ସଂସ୍କାର କରିଦେବା ନେଇ ସନ୍ଦେହ ଘନୀଭୂତ ହୋଇଛି। ବର୍ତ୍ତମାନ ପୋଲିସ ଏହି ଘଟଣାରେ ସାକ୍ଷ୍ୟ ପ୍ରମାଣକୁ ଜୁଟାଇବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.