ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରହ୍ମା କୁମାରୀଙ୍କ ଅନୁଗାମୀ; ରାତି ୯ଟାରେ ବନ୍ଦ କରାଇ ଦିଅନ୍ତି ରୋଷେଇ; ପିଆଜ, ରସୁଣ ମନା

ଧ୍ୟାନ କରିବା ପାଇଁ ଭୋର୍‌ ୩ଟାରେ ଉଠନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାତି ୯ଟା ସୁଦ୍ଧା ସରି ଯାଇଥାଏ ରାଷ୍ଟ୍ରପତି ଭବନର ରୋଷେଇ। ରୋଷେଇରେ ଥାଏ ଶୁଦ୍ଧ ଶାକାହାରୀ ଭୋଜନ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର କର୍ମଚାରୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏହାର ଅନେକ କାରଣ ରହିଛି। ପ୍ରଥମତଃ, ସେ ନିଜ କର୍ମଚାରୀମାନଙ୍କ ସହିତ ବ୍ୟକ୍ତିଗତ ରୂପରେ ମିଶି ଥାଆନ୍ତି। ଦ୍ୱିତୀୟତଃ, ସେ ନିଜର ଅଧିକାଂଶ ପୂର୍ବବର୍ତ୍ତୀ ଅର୍ଥାତ୍‌ ବିଗତ ରାଷ୍ଟ୍ରପତିମାନଙ୍କ ତୁଳନାରେ ଅଧିକ ସୁଲଭ ଅଛନ୍ତି। ଯଦି କର୍ମଚାରୀମାନଙ୍କୁ ତାଙ୍କୁ କୌଣସି କଥା କହିବାର ଥାଏ, ତେବେ ସେମାନେ ସହଜରେ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚି ନିଜର କଥା ରଖି ଥାଆନ୍ତି।

ଦୀପାବଳି ଅବସରରେ ରାଷ୍ଟ୍ରପତି ଭବନର ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ବଡ଼ ମିଠା ପ୍ୟାକେଟ୍‌ ଦିଆଯାଇଥିଲା। ମୁର୍ମୁ ଏଥିପାଇଁ ନିଜର ବ୍ୟକ୍ତିଗତ କୋଷରୁ ୨ ଲକ୍ଷ ଟଙ୍କା ଦାନ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରହ୍ମା କୁମାରୀଙ୍କ ଅନୁଗାମୀ। ସେ ଧ୍ୟାନ କରିବା ପାଇଁ ଭୋର୍‌ ୩ଟାରେ ଉଠନ୍ତି, ଏହା ପରେ ୪୫ ମିନିଟ୍‌ ଚଲାବୁଲା କରନ୍ତି। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ, ଭବନର ରୋଷେଇରେ ବିନା ପିଆଜ, ରସୁଣରେ କେବଳ ଶାକାହାରୀ ଭୋଜନ ରନ୍ଧା ଯାଇଥାଏ।

ରୋଷେଇ ରାତି ୯ଟା ସୁଦ୍ଧା ସରି ଯାଇଥାଏ। ଯେତେ ବେଳେ କି, ପୂର୍ବେ ରାଷ୍ଟ୍ରପତି ଭବନରେ ୨୪ ଘଣ୍ଟା ଖାଦ୍ୟ ପରସା ଯାଇଥାଏ। ବର୍ତ୍ତମାନ ରାଷ୍ଟ୍ରପତି ଭବନର ଖାଦ୍ୟ ପେୟ ବିଲ୍‌ ପୂର୍ବ ତୁଳନାରେ ଅନେକ ଲକ୍ଷ ଟଙ୍କା ହ୍ରାସ ପାଇଛି।

ଚଳିତ ବର୍ଷ ଜାନୁୟାରୀରେ ମିଶର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସି ପ୍ରଥମ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ, ଯାହାଙ୍କୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ସ୍ୱାଗତ କରିଥିଲେ। ଯେମିତି କୌଣସି ଭୁଲ୍‌ ନ ହେବ, ସେଥି ପାଇଁ ସେ ଦିନକ ପୂର୍ବରୁ ଏହାର ରିହର୍ସାଲ ମଧ୍ୟ କରାଇଥିଲେ।

ଯଦିଓ ପ୍ରକୃତ ସମାରୋହର ଆୟୋଜନ ସମୟରେ ଏକ ଭୁଲ୍‌ ହୋଇ ଯାଇଥିଲା। ମୁଖ୍ୟ ଅତିଥିଙ୍କର ପରିଚୟ ଦେବା ସମୟରେ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଛରେ ଛିଡ଼ା ହୋଇଥିଲେ। ଏହା ପରେ ପ୍ରୋଟୋକଲ୍‌ ଅଧିକାରୀ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ଛିଡ଼ା ହେବାକୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.