ଖରାଦିନ ଆରମ୍ଭ ନ ହେଉଣୁ ଲେମ୍ବୁ ଦର ଆକାଶଛୁଆଁ, କିଲୋପ୍ରତି ବିକ୍ରି ହେଉଛି ୨୦୦ ଟଙ୍କାରେ

ଆରମ୍ଭ ହୋଇଗଲାଣି ଏପ୍ରିଲ ମାସ। ଖରାଦିନ ଆରମ୍ଭ ନ ହେଉଣୁ ସୂର୍ଯ୍ୟଙ୍କ ତାପମାତ୍ରା କିନ୍ତୁ ଉପର ମୁହାଁ ହୋଇଛି। ଓଡ଼ିଶାରେ ଏବେ ସବୁ ଦିନ ୭-୮ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି। ଖରା ବଢ଼ୁଥିବାରୁ ଏବେ ପାନୀୟ ଦ୍ରବ୍ୟର ଚାହିଦା ବି ବଢ଼ିଛି। ଲୋକଙ୍କର ଚାହିଦା ମୁତାବକ, ବଜାରରେ ଏବେ ଲେମ୍ବୁ, ତରଭୁଜ ଆଦି ଫଳର ଦାମ୍‌ ବୃଦ୍ଧି ପାଉଛି। ତେବେ ଖରାଦିନ ଆରମ୍ଭରୁ ହିଁ ଗୁଜରାଟରେ ଲେମ୍ବୁର ଅଭାବ ପରିଲକ୍ଷିତ ହେଲାଣି। ଗୁଜରାଟର ରାଜକୋଟ୍‌ରେ ଗତ ବର୍ଷ ଲେମ୍ବୁ ଦାମ୍‌ କିଲୋ ପ୍ରତି ୫୦-୬୦ ଟଙ୍କା ଥିବା ବେଳେ ଏ ବର୍ଷ ୨୦୦ ଟଙ୍କା ହୋଇଛି।

ସୂଚନା ମୁତାବକ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଲେମ୍ବୁ ଦାମ୍‌ କିଲୋ ପ୍ରତି ୪ ଗୁଣ ବଢ଼ିଯାଇଛି। ଲେମ୍ବୁ ଦାମ୍‌ ଆକାଶ ଛୁଆଁ ହୋଇଥିବାରୁ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ତେବେ ଆଗକୁ ମଧ୍ୟ ଏହି ଦାମ୍‌ କମିବା ନେଇ କୌଣସି ଆଶା ନଥିବା ଜଣେ ବ୍ୟବସାୟୀ କହିଛନ୍ତି।

ତାପମାତ୍ରା ସହ ଏବେ ଲେମ୍ବୁର ଦାମ୍‌ ବି ଉପରକୁ ବଢ଼ି ବଢ଼ି ଯାଉଛି। ଅଂଶୁଘାତରୁ ମୁକ୍ତି ଦେଉଥିବା ତଥା କରୋନା ବେଳେ ଭିଟାମିନ୍‌ ସି ମିଳୁଥିବାରୁ ଏବେ ଲୋକେ ବହୁଳ ଭାବେ ଲେମ୍ବୁ ବ୍ୟବହାର କରୁଛନ୍ତି। କିନ୍ତୁ ଚାହିଦା ମୁତାବକ ଲେମ୍ବୁ ଅମଳ ହେଉନଥିବାରୁ ଏବେ ବଜାରରେ ଅଭାବ ପରିଲକ୍ଷିତ ହୋଇଛି। ଫଳରେ ଦୋକାନୀମାନେ ଲେମ୍ବୁ ଦାମ୍‌ ବଢ଼ାଇ ଦେଇଛନ୍ତି। ଏଣୁ ଆଗରୁ କିଲେ କିଲେ ଲେମ୍ବୁ କିଣୁଥିବା ଗ୍ରାହକ ଏବେ ୨୫୦ ଗ୍ରାମ୍‌ କିମ୍ବା ଅଧ କିଲୋ ଲେମ୍ବୁ କିଣୁଥିବା ଦେଖାଯାଇଛି।

ତେବେ କେବଳ ଲେମ୍ବୁ ନୁହେଁ, ବଜାରରେ ଏବେ ସବୁ ପରିବା ଦର ଆକାଶ ଛୁଆଁ ହୋଇଛି। ଲୋକମାନେ ଆଗରୁ ୧୦୦ ଟଙ୍କାରେ ବ୍ୟାଗ୍‌ ଫୁଲ୍‌ କରି ପରିବା ଆଣୁଥିବା ବେଳେ ଏବେ ଅଧ ବ୍ୟାଗ୍‌ଠୁ ବି କମ୍‌ ପରିବା ଉଠୁଛି। ଏହା ଖାଉଟିକୁ ବାଧୁଥିବା ନେଇ ଜଣେ ଗ୍ରାହକ କହିଛନ୍ତି।

Also Read: ଦେବଦାରୁ ଜଙ୍ଗଲରୁ ମିଳିଲା ହାତ ଗୋଡ଼ ବନ୍ଧା ଥିବା ମେୟରଙ୍କ ପରିବାର ଲୋକଙ୍କ ଶବ, କିଛି ଦିନ ତଳେ ଅପହରଣ କରିଥିଲେ ରୁଷ୍‌ ସେନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.