ଆଇପିଏସଙ୍କ ଘରୁ ଜବତ ହେଲା ଡ୍ରଗ୍ସ !

ଆଇପିଏସଙ୍କ ଘରୁ ଜବତ ହେଲା ବିପୁଳ ପରିମାଣର ଡ୍ରଗ୍ସ । ଉତ୍ତର ପ୍ରଦେଶ ଲକ୍ଷ୍ନୌର ଆଇପିଏସ ଦେବେନ୍ଦ୍ର ପିଏନ୍‌ ପାଣ୍ଡେଙ୍କ ଘରୁ ୧୮୦୦ କିଲୋର ବେଆଇନ୍‌ ଡ୍ରଗ୍ସ ଜବତ ହୋଇଛି । ଏସ୍‌ପି ପାଣ୍ଡେ ନୋଇଡାରେ ଭଡ଼ା ଦେଇଥିବା ଘରେ ଜଣେ ଦକ୍ଷିଣ ଆଫ୍ରିକାର ମହିଳା ରହୁଥିଲେ । ତାଙ୍କରି ଠାରୁ ଏହି ଡ୍ରଗ୍ସ ଜବତ ହୋଇଛି । ସଂପୃକ୍ତ ମହିଳାଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ପୋଲିସ୍‌ ଗିରଫ କରିଛି । ଏମାନେ ସମସ୍ତେ ଦକ୍ଷିଣ ଆଫ୍ରିକାର ବାସିନ୍ଦା । ମହିଳା ଜଣକ ମାସିକ ୨୪ ହଜାର ଟଙ୍କା ଦେଇ ଘର ଭଡ଼ା ନେଇଥିଲେ । ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ପକ୍ଷରୁ ପୋଲିସ୍‌ର ଅଜାଣତରେ ଏହି ରେଡ୍‌ କରାଯାଇଥିଲା ।

ପ୍ରଥମେ ଅଭିଯୁକ୍ତ ମହିଳା ଜଣଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା । ତା ପରେ ସେ ରହୁଥିବା ଭଡ଼ା ଘରେ ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚଢ଼ଉ ଚାଲିଥିଲା । ଦକ୍ଷିଣ ଆଫ୍ରିକାର ଗ୍ରେନୋରୁ ମହିଳା ଜଣକ ନିଷିଦ୍ଧ ଡ୍ରଗ୍ସ ଆଣି ଦିଲ୍ଲୀ ଏନ୍‌ସିଆରରେ ବେପାର ଚଳାଇଥିଲେ । ତେବେ ଆଇପିଏସ ପିଏନ୍‌ ପାଣ୍ଡେ କହିଛନ୍ତି ଯେ ସେ ଦଲାଲଙ୍କ ଜରିଆରେ ଘରକୁ ଭଡ଼ା ଲଗାଇଥିଲେ । ଅବଶ୍ୟ ପାଖ ପଡ଼ିଶାଙ୍କ ସୂଚନା ଅନୁଯାୟୀ ସେଠାରେ ଅନେକ ଦିନରୁ ଡ୍ରଗ୍ସ ବେପାର ଚାଲିଥିଲା ବୋଲି ସମସ୍ତଙ୍କୁ ଜଣାଥିଲା । ଏମିତିକି ଅଭିଯୁକ୍ତମାନେ ଘରର ବିଦ୍ୟୁତ୍‌ ବିଲ୍‌ ବାକି ରଖିଛନ୍ତି । ୫ ଲକ୍ଷ ଟଙ୍କାରୁ ଅଧିକ ବିଲ୍‌ ବାକି ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.