ବ୍ୟକ୍ତିଙ୍କୁ ପପକର୍ଣ୍ଣ ଖାଇବା ପଡିଗଲା ଭାରି, ଓପନ ହାର୍ଟ ସର୍ଜରୀ ପରେ ବଞ୍ଚିଲା ଜୀବନ
ପପକର୍ଣ୍ଣ ଏହା ଏକ ଏପରି ଖାଦ୍ୟ ଯାହାକୁ ଲୋକମାନେ ବଡ଼ ଆଦରର ସହ ଖାଇଥାନ୍ତି କିନ୍ତୁ ଏହି ପପକର୍ଣ୍ଣ ଯଦି ଆପଣଙ୍କ ଜୀବନ ପାଇଁ ଭାରି ପଡ଼ିଯାଏ ତାହେଲେ ? ଆଜ୍ଞା ହଁ ବ୍ରିଟେନରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ପପକର୍ଣ୍ଣ ପାଇଁ ଭୋଗିବାକୁ ପଡିଛି ଅନେକ ଯନ୍ତ୍ରଣା। ଏପରିକି ତାଙ୍କୁ ଓପନ ହାର୍ଟ ସର୍ଜରୀ ମଧ୍ୟ କରାଇବାକୁ ପଡିଛି।
ସୂଚନା ଅନୁଯାୟୀ ୪୧ ବର୍ଷୀୟ ଏଡମ ମାର୍ଟିନଙ୍କ ଦାନ୍ତରେ ପପକର୍ଣ୍ଣ ଫସି ଯାଇଥିଲା । ତେବେ ଦାନ୍ତରେ ଅଟକିଯାଇଥିବା ପପକର୍ଣ୍ଣକୁ ବାହାର କରିବା ପାଇଁ ଏଡମ ପେନ, ଟୁଥପିକ, ତାର ଓ କାଠିର ବ୍ୟବହାର କରିଥିଲେ ଯାହାଦ୍ୱାରା ତାଙ୍କ ଦାନ୍ତରେ ଇନଫେକ୍ସନ ହୋଇଯାଇଥିଲା । ଇନଫେକ୍ସନ ଏତେ ମାତ୍ରାରେ କ୍ଷତିକାରକ ଥିଲା ଯେ ତା ଦ୍ୱାରା ତାଙ୍କ ଜୀବନ ଉପରକୁ ମଧ୍ୟ ବିପଦ ଆସିଯାଇଥିଲା ଓ ଦାନ୍ତରୁ ପପକର୍ଣ୍ଣ ହଟାଇବା ଚକ୍କରରେ ସେ ନିଜକୁ ବହୁତ ବଡ଼ କ୍ଷତି ପହଞ୍ଚାଇ ଥିଲେ ।
ଦାନ୍ତମାଢିର ଇନଫେକ୍ସନ ପରେ ତାଙ୍କ ହାର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଯେଉଁଥିପାଇଁ ତାଙ୍କୁ ଓପନ ହାର୍ଟ ସର୍ଜରୀ କରାଇବାକୁ ପଡିଥିଲା । ଏଡମଙ୍କ କହିବା ଅନୁଯାୟୀ ତାଙ୍କୁ ଜଣା ପଡ଼ିଯାଇଥିଲା ଯେ ତାଙ୍କ ଦେହରେ କୌଣସି ନା କୌଣସି ସମସ୍ୟା ରହିଛି । ରାତିରେ ତାଙ୍କ ଦେହ ସମ୍ପୂର୍ଣ୍ଣ ଝାଳ ହୋଇଯିବା ସହ ପାଦରେ ଯନ୍ତ୍ରଣା ହେଉଥିଲା । ଏହାସହିତ ସେ ମୁଣ୍ଡବିନ୍ଧା ଏବଂ ଅସ୍ବସ୍ତିକର ମଧ୍ୟ ଅନୁଭବ କରୁଥିଲେ । ତାପରେ ସେ ଡାକ୍ତରଙ୍କୁ ଦେଖାଇଥିଲେ ଓ ଟେଷ୍ଟରୁ ସବୁକିଛି ଜଣା ପଡିଯାଇଥିଲା । ଏହାପରେ ଡାକ୍ତରମାନେ ତାଙ୍କର ହାର୍ଟ ଓ ପାଦର ସର୍ଜରୀ କରାଇଥିଲେ ଓ ଏଡମ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ।
ବର୍ତ୍ତମାନ ଏଡମ କୁହନ୍ତି ଯେ ‘ପପକର୍ଣ୍ଣ ମୋ ଜୀବନ ନେବାକୁ ବସିଥିଲା ମୃତ୍ୟୁର ଦ୍ୱାରରୁ ମୁଁ ଫେରିଆସିଛି । ମୋର ଭାଗ୍ୟ ଯେ ମୋ ଜୀବନ ବଂଚିଯାଇଛି ଆଉ ଜୀବନରେ କେବେବି ପପକର୍ଣ୍ଣ ଖାଇବି ନାହିଁ ।’