ହେମା ମାଳିନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗ କଠୋର, ସୁରଜେୱାଲା ଓ ଖରଗେଙ୍କୁ ନୋଟିସ୍‌

ହେମା ମାଳିନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କୁ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ମଥୁରା ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ସମସ୍ୟା ଥମୁନାହିଁ । ବର୍ତ୍ତମାନ ନିର୍ବାଚନ ଆୟୋଗ ହେମାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ଏହା ବ୍ୟତୀତ ଆୟୋଗ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କଠାରୁ ମଧ୍ୟ ଜବାବ ମାଗିଛନ୍ତି ଯେ କଂଗ୍ରେସ ତରଫରୁ ସାର୍ବଜନିକ ଆଲୋଚନା ବେଳେ ମହିଳାଙ୍କ ସମ୍ମାନ ଓ ଗାରିମା ରକ୍ଷା ବିଷୟରେ ଦିଆଯାଇଥିବା ପରାମର୍ଶ ପାଳନ ନେଇ କ’ଣ ପଦକ୍ଷେପ ନିଆଯାଇଛି ? ଆୟୋଗ ସେହି ପଦକ୍ଷେପଗୁଡ଼ିକର ତାଲିକା ପ୍ରଦାନ କରିବାକୁ କହିଛନ୍ତି, ଯାହା ନିର୍ବାଚନ ଆୟୋଗଙ୍କ ପରାମର୍ଶକୁ ଅନୁପାଳନ କରୁଛି ବୋଲି ସୁନିଶ୍ଚିତ କରିବ ।

ନିର୍ବାଚନ ଆୟୋଗ ରଣଦୀପ ସୁରଜେୱାଲାଙ୍କୁ ଏହି ମାମଲାରେ ଏପ୍ରିଲ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଦେବାକୁ କହିଛନ୍ତି । ଏଥି ସହିତ ମଲ୍ଲିକାର୍ଜୁନ ଖରଗେଙ୍କୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।

ଗତ ମାସରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସୁରଜୱାଲା ମଥୁରା ସାଂସଦ ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ବିଜେପି ଏହାକୁ ଅପମାନଜନକ ଓ ମହିଳା ବିରୋଧୀ ମନ୍ତବ୍ୟ ବୋଲି କହିଥିଲା ଏବଂ ନିର୍ବାଚନ ଆୟୋଗଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲା ।

ଯଦିଓ ସୁରଜେୱାଲା କହିଥିଲେ ଯେ ତାଙ୍କ ଭିଡିଓକୁ କ୍ରପ୍ କରି ସେୟାର କରାଯାଇଛି ଏବଂ ସେ ଲୋକସଭା ସଦସ୍ୟ ହେମା ମାଳିନୀଙ୍କୁ ସମ୍ମାନ କରନ୍ତି । ସୁରଜାୱାଲା ଦେଇଥିବା ବୟାନକୁ ନେଇ ହେମା ମାଳିନୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ମହିଳାଙ୍କୁ ସମ୍ମାନ ଦେବା ଶିଖିବା ଉଚିତ୍ । ହେମା କହିଥିଲେ ଯେ ବିରୋଧୀ କେବଳ ଲୋକପ୍ରିୟ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.