ଉତ୍ତର ପ୍ରଦେଶ: ଟ୍ରକ୍ ସହ ଧକ୍କା ହୋଇ ଓଲଟିଲା ଶ୍ରଦ୍ଧାଳୁଙ୍କ ବସ୍, ୩ ମୃତ; ୧୦ ଆହତ
ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ହଥିଗଓ୍ଵାଁ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଛି ।

ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ହଥିଗଓ୍ଵାଁ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ପରେ ବସ୍ଟି ଓଲଟି ପଡ଼ିବାରୁ ଜଣେ କିଶୋରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି । ସେମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଅତିରିକ୍ତ ପୋଲିସ ଅଧୀକ୍ଷକ (ପଶ୍ଚିମ) ସଞ୍ଜୟ ରାୟ କହିଛନ୍ତି ଯେ ଉନ୍ନାଓ ଜିଲ୍ଲାରୁ ଏକ ବସ୍ ଶ୍ରଦ୍ଧାଳୁଙ୍କୁ ନେଇ ବିନ୍ଧ୍ୟବାସିନୀଙ୍କ ଦର୍ଶନ ପାଇଁ ବିନ୍ଧ୍ୟାଞ୍ଚଳ ଯାଉଥିଲା । ଗତକାଲି ବିଳମ୍ବିତ ରାତିରେ ହଥିଗଓ୍ଵାଁ ଅଞ୍ଚଳରେ ବସ୍ଟି ଦୁର୍ଘଟଣାର ଶିକାର ହୋଇଥିଲା । ଫୁଲମତି ବିସହିଆ କେନାଲ ନିକଟରେ ଲକ୍ଷ୍ନୌ-ପ୍ରୟାଗରାଜ ରାଜପଥରେ ଏକ ଟ୍ରକ୍ ସହ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ବସ୍ଟି ଘଟଣାସ୍ଥଳରେ ଓଲଟି ପଡ଼ିଥିଲା ।
ଖବର ପାଇ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାର ବସ୍ରେ ଫସିଥିବା ଲୋକଙ୍କୁ ବାହାର କରିଥିଲା । ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ, ସନ୍ଧ୍ୟା (୧୨), କୃଷ୍ଣ କୁମାର (୫୦) ଓ ବାସୁ (୩୫) । ଅନ୍ୟ ୧୦ ଜଣ ଆହତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।
ଅନ୍ୟପଟେ ୟୁପିର ବଲରାମପୁରରେ ମଧ୍ୟ ଏହିପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ସୂଚନା ମୁତାବକ, ବହରାଇଚ-ବଲରାମପୁର ଜାତୀୟ ରାଜପଥରେ ଏକ ବାଇକ୍ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।