ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ କାର୍ଯ୍ୟାନୁଷ୍ଠାନ, ଆତଙ୍କବାଦୀ ସୟିଦ୍ ସଲ୍ଲାଉଦ୍ଦିନର ଏକ କୋଟିର ସମ୍ପତ୍ତି ଜବତ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ କାର୍ଯ୍ୟାନୁଷ୍ଠାନ । ଆତଙ୍କବାଦୀ ସୟିଦ୍ ସଲ୍ଲାଉଦ୍ଦିନର ଜମ୍ମୁ କଶ୍ମୀରରେ ଥିବା ୧୩ ଟି ସମ୍ପତ୍ତିକୁ ଜବତ କରିଛି ଇଡି । ସଲ୍ଲାଉଦ୍ଦିନ ବିରୋଧରେ ଚାଲୁଥିବା ଟେରର ଫଣ୍ଡିଙ୍ଗ୍ ଯାଂଚ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଇଡି । ସଲ୍ଲାଉଦ୍ଦିନ ହେଉଛି ଆତଙ୍କବାଦୀ ସଙ୍ଗଠନ ହିଜବୁଲର ମୁଖ୍ୟ । ପାକିସ୍ତାନରେ ରହୁଥିବା ସଲ୍ଲାଉଦ୍ଦିନ ସେହିଠାରୁ ହିଁ ଆତଙ୍କବାଦୀ ଗତିବିଧି ପରଚାଳନା କରଥାଏ । ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୧.୨୨ କୋଟି ଟଙ୍କା । ଜବତ ହୋଇଥିବା ସମ୍ପତ୍ତି ଆତଙ୍କୀ ସଙ୍ଗଠନ ପାଇଁ କାମ କରୁଥିବା ମହମ୍ମଦ ଶଫି ଶାହ ଏବଂ ରାଜ୍ୟର ଅନ୍ୟ ୬ ଜଣଙ୍କ ସହ ଜଡିତ ।

ସେହିପରି କିଛି ଦିନ ତଳେ ଲସ୍କର – ଏ – ତୋଏବା ମୁଖ୍ୟ ହାଫିଜ୍ ସହ ସମ୍ପୃକ୍ତି ଅଭିଯୋଗରେ କଶ୍ମୀରୀ ବ୍ୟବସାୟୀ ଜହୁର ଅହମ୍ମଦ ଶାହ ବଟାଲୀଙ୍କ ଗୁରଗାଓଁରେ ଥିବା ପ୍ରାୟ ଏକ କୋଟିର ସମ୍ପତ୍ତି ଜବତ କରିଥିଲା ଇଡି ।

ଏନଆଇଏକୁ ପ୍ରାୟ ଦୁଇ ବର୍ଷ ପୂର୍ବେ ଆତଙ୍କବାଦୀଙ୍କ ଟଙ୍କାରେ ବଟାଲୀ ସମ୍ପତ୍ତି କିଣିଥିବା ସୂଚନା ମିଳିଥିଲା । ଏହା ପରେ ଯାଂଚ ଆରମ୍ଭ କରିଥିଲା ଏନଆଇଏ । ଜବତ ହୋଇଥିବା ସମ୍ପତ୍ତି ବଟାଲୀଙ୍କ ପତ୍ନୀଙ୍କ ନାମରେ ଥିବା ଜଣା ପଡିଛି । ଯାହାର ମାର୍କେଟ୍ ମୂଲ୍ୟ ପ୍ରାୟ ସାଢେ ତିନି କୋଟି ହେବ ।

ଜହୁର ଅହମ୍ମଦ ଶାହ ବଟାଲୀ ବିରୋଧରେ ଅଭିଯୋଗ ରହିଛି ଯେ ସେ ଲସ୍କର – ଏ – ତୋଏବା ମୁଖ୍ୟ ହାଫିଜ୍ ସୟିଦର ବ୍ୟାଙ୍କର ଏବଂ ଫାଇନାନ୍ସର । ୨୦୧୭ରେ ବଟାଲୀ ସମେତ ୧୮ ଜଣଙ୍କ ବିରୋଧରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ମାମଲା ରୁଜୁ କରିଥିଲା ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ଏହା ମାମଲାର ଯାଂଚ ଏବେ ବି ଜାରି ରଖିଛି ଏନଆଇଏ । ଫଲାହ ଏ ଇନସାନିୟତ୍ ଫାଉଣ୍ଡେସନ୍ ଟଙ୍କାରେ କିଣାଯାଇଥିଲା ବଟାଲୀର ଏହି ଭିଲ୍ଲା । ଏହି ଫାଉଣ୍ଡେସନକୁ ପାକିସ୍ତାନ ଚଲାଇଥାଏ । ଏହି ଫାଉଣ୍ଡେସନର ଲକ୍ଷ୍ୟ ଆତଙ୍କୀ ଯୋଜନାକୁ ରୂପ ଦେବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.