ଯଜ୍ଞ ବେଳେ ହାତୀର ତାଣ୍ଡବ, ଶିଶୁ ସମେତ ୩ ଜଣଙ୍କୁ ଦଳି ମାରିଦେଲା; ସହାୟତା ଘୋଷଣା କଲେ ୟୁପି ମୁଖ୍ୟମନ୍ତ୍ରୀ

ଗୋରଖପୁରର ଏକ ଗାଁରେ ହାତୀର ଦ୍ରୌରାତ୍ମ୍ୟ। ଯଜ୍ଞ ଓ କଳସ ଯାତ୍ରାର ଆୟୋଜନ ଭିତରେ ହାତୀ ରଚିଥିଲା ତାଣ୍ଡବ। ସାମ୍ନାରେ ଯିଏ ପଡ଼ିଥିଲା, ତାକୁ ଦଳି ମାରିଥିଲା ହାତୀ। ଘଟଣାରେ ଶିଶୁ ସମେତ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।

ଉତ୍ତର ପ୍ରଦେଶର ଗୋରଖପୁରର ଏକ ଗାଁରେ ହାତୀ ଦ୍ରୌରାତ୍ମ୍ୟ ଦେଖିବାକୁ ମିଳିଛି। ଖବର ମୁତାବକ, ଏଠାରେ ଯଜ୍ଞ ଏବଂ କଳସ ଯାତ୍ରାର ଆୟୋଜନ ହୋଇଥିଲା। ଏହାକୁ ଆକର୍ଷଣୀୟ କରିବା ପାଇଁ ଦୁଇ ହାତୀଙ୍କୁ ଆମନ୍ତ୍ରିତ କରାଯାଇଥିଲା। ହେଲେ ଘଟଣାସ୍ଥଳରେ ହଠାତ୍‌ ଏକ ହାତୀ ଉତ୍ତେଜିତ ହୋଇପଡ଼ିଥିଲା ଏବଂ ଖୁବ୍‌ ତାଣ୍ଡବ ରଚିଥିଲା। ଯିଏ ତା’ ସାମ୍ନାରେ ପଡ଼ିଥିଲା, ତାକୁ ଦଳି ମାରି ଦେଇଥିଲା ହାତୀ। ଦୁଃଖର ବିଷୟ ଯେ ଏହି ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସିଏମ୍‌ ଅଫିସ୍‌ ତରଫରୁ କରାଯାଇଥିବା ଟ୍ଵିଟ୍‌ରେ କୁହାଯାଇଛି କି, ଗୋରଖପୁରରେ ହାତୀ ଆକ୍ରମଣରେ ପ୍ରାଣୀ ହରାଇଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯିବ।

ଗ୍ରାମବାସୀଙ୍କ କହିବା ହେଲା, ଆଖାପାଖ ୫-୬ଟି ଗାଁର ହଜାର ହଜାର ଲୋକ ନଦୀକୂଳସ୍ଥିତ ଡିହ ପାଖରେ ଆୟୋଜିତ ଯଜ୍ଞରେ ସାମିଲ ହୋଇଥିଲେ। ଏଥିରେ ଦୁଇ ହାତୀଙ୍କୁ ମଧ୍ୟ ଡକାଯାଇଥିଲା। ଗାଁର ମହିଳାମାନେ ଯଜ୍ଞ ପରେ ହାତୀଙ୍କୁ ପ୍ରସାଦ ଖୁଆଉଥିଲେ। ହେଲେ ଠିକ୍‌ ଏତିକି ବେଳେ ଦୁଇ ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀ ହଠାତ୍‌ ଉତ୍ତେଜିତ ହୋଇପଡ଼ିଥିଲା।

କ୍ରୋଧିତ ହାତୀଟି ଗାଁର ଦୁଇ ମହିଳା ଏବଂ ଜଣେ ୪ ବର୍ଷର ଶିଶୁକୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ହାତୀର ରୌଦ୍ର ରୂପ ଦେଖି ସେଠାରେ ଲୋକମାନେ ଭୟରେ ଥରି ଉଠିଥିଲେ ଏବଂ ଏଣେତେଣେ ଧାଁଦୌଡ଼ କରିଥିଲେ। ଏହାପରେ ହାତୀ ନିକଟସ୍ଥ ଚାଷଜମି ଆଡ଼କୁ ଚାଲିଯାଇଥିଲା।

ସେପଟେ ଏହି ଘଟଣାକୁ ନେଇ ଗୋରଖପୁର ଏସ୍‌ଡିଏମ୍‌ ସଦର କହିଛନ୍ତି ଯେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍‌ ଡକାଯାଇଛି। ଏଥି ସହିତ ହାତୀକୁ କାବୁ କରିବା ପାଇଁ ପ୍ରୟାସ କରାଯାଉଛି।