ଚାଷୀ ଆନ୍ଦୋଳନ: ଶମ୍ଭୁ ସୀମାରେ ମୁତୟନ ଆଉ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ, ସପ୍ତାହେ ଭିତରେ ଗଲାଣି ୨ ଜଣଙ୍କ ଜୀବନ

ଚାଷୀ ଆନ୍ଦୋଳନ ସମୟରେ ଶମ୍ଭୁ ସୀମାରେ ମୁତୟନ ଆଉ ଜଣେ ପୋଲିସ କର୍ମୀ କୌଶଲ କୁମାରଙ୍କ ମୃତ୍ୟୁ ଘଟିଛି । ଡ୍ୟୁଟିରେ ଥିବାବେଳେ ଆଜି ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

ଚାଷୀ ଆନ୍ଦୋଳନ ସମୟରେ ଶମ୍ଭୁ ସୀମାରେ ମୁତୟନ ଆଉ ଜଣେ ପୋଲିସ କର୍ମୀ କୌଶଲ କୁମାରଙ୍କ ମୃତ୍ୟୁ ଘଟିଛି । ଡ୍ୟୁଟିରେ ଥିବାବେଳେ ଆଜି ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଅମ୍ବାଲାର ସିଭିଲ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରିପୋର୍ଟ ଅନୁଯାୟୀ, ଚାଷୀଙ୍କ ଆନ୍ଦୋଳନ ସମୟରେ ଘଗର ନଦୀ ନିକଟ ବ୍ରିଜ ତଳେ ଇଏସ୍‌ଆଇ କୌଶଲ କୁମାରଙ୍କ ଡ୍ୟୁଟି ପଡ଼ିଥିଲା । ୫୬ ବର୍ଷୀୟ ଇଏସ୍‌ଆଇ ଯମୁନାନଗର ଜିଲ୍ଲାର କାଞ୍ଜିୱାସ୍ ଗାଁର ବାସିନ୍ଦା ଥିଲେ । ସେ ଛପର ଥାନାରେ ଇଏସ୍‌ଆଇ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ହରିୟାଣା ପୋଲିସ ଏବଂ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

କୌଶଲ କୁମାର ସର୍ବଦା ନିଜର ଡ୍ୟୁଟିକୁ ସମ୍ପୂର୍ଣ୍ଣ ଗମ୍ଭୀରତା ଏବଂ ନିଷ୍ଠାର ସହିତ ପାଳନ କରୁଥିଲେ । ସେ ନିଜ ସାଥୀ ପୋଲିସ କର୍ମୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ତାଙ୍କର ହଠାତ୍ ଦେହାନ୍ତ ହରିୟାଣା ପୋଲିସ ପାଇଁ ଏକ ଅପୂରଣୀୟ କ୍ଷତି ।

ସୂଚନାଥାଉ କି, ଗତ ଫେବୃୟାରୀ ୧୬ରେ ମଧ୍ୟ ଶମ୍ଭୁ ସୀମାରେ ମୁତୟନ ଜିଆର୍‌ପି ସବ୍-ଇନ୍ସପେକ୍ଟର ହୀରାଲାଲ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.