ସ୍ପେନ୍‌: ଭାଲେନ୍ସିଆ ସହରରେ ଦୁଇଟି ବିଲ୍ଡିଂରେ ଅଗ୍ନିକାଣ୍ଡ, ୪ ମୃତ; ୧୯ ନିଖୋଜ

ସ୍ପେନର ପୂର୍ବ ସହର ଭାଲେନ୍ସିଆର ଦୁଇଟି ଆବାସିକ ଅଟ୍ଟାଳିକାରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୯ ଜଣ ନିଖୋଜ ଅଛନ୍ତି ।

ସ୍ପେନର ପୂର୍ବ ସହର ଭାଲେନ୍ସିଆର ଦୁଇଟି ଆବାସିକ ଅଟ୍ଟାଳିକାରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୯ ଜଣ ନିଖୋଜ ଅଛନ୍ତି । ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଅଗ୍ନିକାଣ୍ଡ ପରେ ବିଲ୍ଡିଂରେ ରହୁଥିବା ଲୋକମାନେ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ । ଅଗ୍ନିଶମ କର୍ମଚାରୀମାନେ କିଛି ଜଣଙ୍କ ଜୀବନ ରକ୍ଷା କରିଥିଲେ ।

ପ୍ରଥମେ ୧୪ ମହଲା ବିଶିଷ୍ଟ ଆବାସିକ କୋଠାରେ ନିଆଁ ଲାଗିଥିଲା । ଅଗ୍ନିଶମ କର୍ମଚାରୀମାନେ ବାଲକୋନିରୁ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ କ୍ରେନ୍ ବ୍ୟବହାର କରିଥିଲେ । ଭାଲେନ୍ସିଆର ସହକାରୀ ଜରୁରୀକାଳୀନ ସେବା ନିର୍ଦ୍ଦେଶକ ଜର୍ଜ ସ୍ୱାରେଜ୍‌ କହିଛନ୍ତି, ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନର ସୈନ୍ୟ ଜରୁରୀ ସେବା ୟୁନିଟ୍‌ର କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି ।

ସୂଚନା ମୁତାବକ, ସନ୍ଧ୍ୟାରେ ବିଲ୍ଡିଂରେ ନିଆଁ ଲାଗିଥିଲା ଏବଂ ପରେ ଏହା ସଂଲଗ୍ନ କୋଠାକୁ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଅତି କମ୍‌ରେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ ଜଣ ଅଗ୍ନିଶମ କର୍ମଚାରୀ ଅଛନ୍ତି । ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ ଘଟଣା ସମୟରେ ଉଭୟ ଅଟ୍ଟାଳିକାରେ କେତେ ଲୋକ ଥିଲେ ଏବଂ କେତେ ଜଣଙ୍କୁ ଉଦ୍ଧାର କରାଯାଇଛି ।

ସ୍ପେନର ପ୍ରଧାନମନ୍ତ୍ରୀ ପେଦ୍ରୋ ସାଞ୍ଚେଜ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ଭାଲେନ୍ସିଆର ଅଗ୍ନିକାଣ୍ଡ ଘଟଣା ତାଙ୍କୁ ସ୍ତବ୍ଧ କରିଦେଇଛି । ସେ କହିଛନ୍ତି, ମୁଁ ସମସ୍ତ ପୀଡିତଙ୍କ ସହିତ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.