ଚୀନରେ ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌! ମଣିଷଠାରେ ଚିହ୍ନଟ ହେଲା ପ୍ରଥମ ମାମଲା; ୪ ବର୍ଷର ବାଳକ ସଂକ୍ରମିତ

କରୋନା ଭାଇରସ୍‌ ଆତଙ୍କ ଭିତରେ ଚୀନରେ ଦେଖାଦେଇଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌ରେ ମଣିଷ ସଂକ୍ରମିତ ହେବାର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଚୀନର ସ୍ୱାସ୍ଥ୍ୟ ପ୍ରଶାସନ ମଙ୍ଗଳବାର ଏ ନେଇ ସୂଚନା ଦେଇଛି। ପ୍ରଶାସନ କହିଛି ଯେ ହେନାନ ଅଞ୍ଚଳର ଏକ ୪ ବର୍ଷର ପିଲା ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଛି। ତା’ଠାରେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଯିବା ପରେ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା। ଯଦିଓ ସଂକ୍ରମଣ ଅନ୍ୟ ଲୋକଙ୍କଠାରେ ବ୍ୟାପିବାର ସମ୍ଭାବନା ଯଥେଷ୍ଟ କମ୍‌।

ସୂଚନା ମୁତାବକ, ୫ ଏପ୍ରିଲରେ ମଧ୍ୟ-ହେନାନ ଅଞ୍ଚଳର ଏହି ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା। କିନ୍ତୁ ପରିବାରରେ ଆଉ କେହି ସଂକ୍ରମିତ ନ ଥିଲେ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଏକ ବୟାନରେ କହିଛି ଯେ ପିଲାଟି ପୋଷା କୁକୁଡ଼ା ଓ କାଉ ସଂସ୍ପର୍ଶରେ ଆସିଥିଲା। ଏଥି ପୂର୍ବରୁ ବି H3N8 ଷ୍ଟ୍ରେନ୍‌ ଘୋଡ଼ା, କୁକୁର ଓ ପକ୍ଷୀମାନଙ୍କଠାରେ ଚିହ୍ନଟ ହୋଇସାରିଛି। ତେବେ କୌଣସି ମଣିଷ ଏଥିରେ ସଂକ୍ରମିତ ହେବାର ଏହା ହେଉଛି ପ୍ରଥମ ମାମଲା।

ଚୀନରେ ବାର୍ଡ ଫ୍ଲୁର ଅନେକ ଭ୍ୟାରିଏଣ୍ଟ ଏବଂ ସବ୍‌-ଭ୍ୟାରିଏଣ୍ଟ ରହିଛି। ସେଥି ମଧ୍ୟରୁ କିଛି ସବ୍‌-ଭ୍ୟାରିଏଣ୍ଟ ପଶୁପକ୍ଷୀଙ୍କ ସାଙ୍ଗକୁ ମଣିଷଙ୍କୁ ବି ସଂକ୍ରମିତ କରିଛି। ବିଶେଷ କରି କୁକୁଡ଼ା ଓ ବତକ ଫାର୍ମରେ କାମ କରୁଥିବା ଲୋକେ ବାର୍ଡ ଫ୍ଲୁ ଷ୍ଟ୍ରେନ୍‌ରେ ସଂକ୍ରମିତ ହେବାର ବିପଦ ଅଧିକ ରହିଥାଏ। ରାଷ୍ଟ୍ରୀୟ ଆୟୋଗ ଆହୁରି କହିଛି ଯେ ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌ ମଣିଷକୁ ପ୍ରଭାବଶାଳୀ ଢଙ୍ଗରେ ସଂକ୍ରମିତ କରିବାର କ୍ଷମତା ରଖି ନ ଥିବାରୁ ମହାମାରୀ ବ୍ୟାପିବାର ଆଶଙ୍କା କମ୍‌ ରହିଛି। H3N8 ଷ୍ଟ୍ରେନ୍‌ ଏ ପର୍ଯ୍ୟନ୍ତ ଘୋଡ଼ା, କୁକୁର, ପକ୍ଷୀମାନଙ୍କଠାରେ ମିଳିଥିଲା, କିନ୍ତୁ ଏବେ ମଣିଷଠାରେ ଏହା ଚିହ୍ନଟ ହୋଇଛି।

ବାର୍ଡ ଫ୍ଲୁ କ’ଣ

ବାର୍ଡ ଫ୍ଲୁ ଏକ ଏଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (H5N1) ଭାଇରସ୍‌, ଯାହା ପକ୍ଷୀମାନଙ୍କଠାରେ ଭାଇରାଲ ସଂକ୍ରମଣ ବିସ୍ତାର କରି ସେମାନଙ୍କୁ ସଂକ୍ରମିତ କରି ଦେଇଥାଏ। ଅନ୍ୟ ଭାଷାରେ କହିବାକୁ ଗଲେ, ଏହା ହେଉଛି ଇନ୍‌ଫ୍ଲୁଏଞ୍ଜା ଟାଇପ୍‌ ଏ ଭାଇରସ୍‌ ଯୋଗୁ ବିସ୍ତାର ହେଉଥିବା ସଂକ୍ରାମକ ଭାଇରାଲ ରୋଗ, ଯାହାକି ପକ୍ଷୀ ଓ ମଣିଷ ଉଭୟଙ୍କୁ ନିଜ କବଳକୁ ନେଇଯାଇପାରେ।

ମଣିଷଙ୍କଠାରେ କେମିତି ବ୍ୟାପିପାରିବ ବାର୍ଡ ଫ୍ଲୁ

-ମଣିଷ ସଂକ୍ରମିତ କୁକୁଡ଼ା କିମ୍ବା ଅନ୍ୟ ପକ୍ଷୀଙ୍କ ସମ୍ପର୍କରେ ଅଧିକ ରହିଲେ

-ବାର୍ଡ ଫ୍ଲୁରେ ସଂକ୍ରମିତ ପକ୍ଷୀମାନଙ୍କର ମାଂସ, ବିଶେଷ କରି କଞ୍ଚାମାଂସ ଖାଇଲେ

-ସଂକ୍ରମିତ ପକ୍ଷୀ ଜୀବିତ ଥାଆନ୍ତୁ ଅବା ମୃତ, ଉଭୟ ସ୍ଥିତିରେ ଏହି ଭାଇରସ୍‌ ଆଖି, ନାକ ଏବଂ ମୁହଁ ମାଧ୍ୟମରେ ମଣିଷକୁ ବ୍ୟାପିପାରିବ

-ସଂକ୍ରମିତ ପକ୍ଷୀମାନଙ୍କର ସଫାସୁତରା କଲେ

-ସଂକ୍ରମିତ ପକ୍ଷୀଙ୍କୁ ହତ୍ୟା କଲେ ବି ମଣିଷ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇପାରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.