ପ୍ରେମିକା ଉପରେ ବିରକ୍ତ ହୋଇ ତାଙ୍କ ପରିବାରକୁ କଲା ହତ୍ୟା ପିଶାଚ ପ୍ରେମିକ, ଜମି ଖୋଳିବାରୁ ବାହାରିଲା ୫ ଶବ

ପ୍ରେମିକା ଉପରେ ଅସନ୍ତୁଷ୍ଟ ପ୍ରେମିକ ରଚିଲା ନାରକୀୟ କାଣ୍ଡ। ଗୋଟିଏ ପରେ ଗୋଟିଏ କରି ପ୍ରେମିକା ପରିବାରର ହତ୍ୟା କଲା ୫ ଜଣଙ୍କୁ। କେବଳ ମାରିଲା ସେତିକି ନୁହେଁ, ଶବଗୁଡ଼ିକୁ ଜମିରେ ଗାତ କରି ପୋତି ବି ଦେଲା। ଯେମିତି କେହି ବି ଏହି ହତ୍ୟାକାଣ୍ଡର ପତ୍ତା ବି ପାଇବେନି। ମାତ୍ର ସତ କେବେ ଲୁଚି ରହେନି ନ୍ୟାୟରେ ପୋଲିସ ଏବେ ଉଦଣ୍ଡ ପ୍ରେମିକକୁ ଅଟକ ରଖି ସମସ୍ତ ଶବକୁ ମାଟି ଖୋଳି ଉଦ୍ଧାର କରିଛି।
ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ। ଜିଲ୍ଲାର ନେମାବରୀର ଏକ ଜମି ଖୋଳି ସେଥିରୁ ମଙ୍ଗଳବାର ଦିନ ପୋଲିସ ୫ଟି ଶବ ଉଦ୍ଧାର କରିଛି। ମୃତକମାନେ ଗତ ମେ ୧୩ରୁ ନିଖୋଜ ଥିଲେ। କୁହାଯାଉଛି ଯେ ନିଖୋଜ ୫ ଜଣଙ୍କ ମଧ୍ୟରୁ ଜଣେ ମହିଳା, ୩ ଜଣ ଯୁବତୀ ଓ ଜଣେ ଯୁବକ ଅଛନ୍ତି, ଯାହାକୁ ପୋଲିସ ଦୀର୍ଘ ଦିନ ହେଲା ଖୋଜୁଥିଲା।

ଗାଁ ସରପଞ୍ଚଙ୍କ ଅନୁରୋଧକ୍ରମେ ପୋଲିସ ଜୋରଦାର ତଦନ୍ତ କରିଥିଲା। ପୋଲିସ ଗୋଟିଏ ଗୋଟିଏ କରି ହତ୍ୟାକାଣ୍ଡରେ ଜଡ଼ିତ ୫ ଜଣଙ୍କୁ ଅଟକ ରଖିଥିଲା। ତାଙ୍କ କହିବାନୁସାରେ, ମେଲା ରୋଡ୍ରେ ସୁରେନ୍ଦ୍ର ଚୌହ୍ଵାନ୍ ନାମ ବ୍ୟକ୍ତିର ଜମି ଖୋଳି ସମସ୍ତ ୫ଟି ଶବ ଜବତ କରିଥିଲା। ମୃତକମାନେ ହେଲେ ମମତା(୪୫), ରୂପାଲୀ(୨୧), ଦିବ୍ୟା(୧୪), ପୂଜା (୧୫) ଓ ପବନ(୧୪)।
ପୋଲିସ ଜେସିବି ସାହାଯ୍ୟରେ ପ୍ରାୟ ୧୦ ଫୁଟ୍ ଗାତ ଖୋଳି ଶବ ଉଦ୍ଧାର କରିଛି। ଏହି ହତ୍ୟାକାଣ୍ଡରେ ଜିମ୍ ମାଲିକ ସୁରେନ୍ଦ୍ରର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ସମସ୍ତ ମୃତକ ଆଦିବାସୀ ଏବଂ ଦଳିତ ସମାଜର ବୋଲି ଜଣାଯାଇଛି। ତେବେ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଖୁଲାସା ହୋଇଛି ଯେ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ନିଜ ପ୍ରେମିକା ଉପରେ ବିରକ୍ତ ହୋଇ ସାଥୀଙ୍କ ସହ ମିଶି ତାଙ୍କ ପରିବାରକୁ ହତ୍ୟା କରିଛି।