Below header

୯୩ ବର୍ଷ ବୟସରେ ଆଖି ବୁଜିଲେ କଂଗ୍ରେସର ଭେଟେରାନ ନେତା ତଥା ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ୍‌ ଭୋରା

କେନ୍ୟୁଜ୍(ବ୍ୟୁରୋ): କଂଗ୍ରେସର ଭେଟେରାନ ନେତା ତଥା ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ୍‌ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ପୂର୍ବରୁ ସେ କରୋନା ପଜିଟିଭ୍‌ ହୋଇ ସୁସ୍ଥ ହୋଇଥିଲେ । ଏହା ପରେ ପରିଶ୍ରାଗାରରେ ସଂକ୍ରମଣ ଯୋଗୁ ତାଙ୍କୁ ଦିଲ୍ଲୀର ଏସ୍କର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିସହ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିଲା । କିଛି ଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଛତିଶଗଡ଼ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଦୀର୍ଘ ବର୍ଷ ଧରି ରାଜନୀତିରେ ରହିଥିବା କଂଗ୍ରେସ ପକ୍କା ନେତା ଭାବେ ପରିଚିତ ମୋତିଲାଲ ଭୋରା ଗାନ୍ଧି ପରିବାର ଅତି ନିକଟର ଥିଲେ ।

ଛତିଶଗଡ଼ର ପୂର୍ବତନ ମ୍ୟଖ୍ୟମନ୍ତ୍ରୀ ଥିବା ମୋତିଲାଲ୍‌ ଭୋରା ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଛତିଶଗଡ଼ରୁ ରାଜ୍ୟସଭା ସାଂସଦ ଥିଲେ । କଂଗ୍ରେସର ହୋଇଥିବା ନୂତନ ପରିବର୍ତ୍ତନ ପର୍ଯ୍ୟନ୍ତ ସେ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୨୭ ମସିହା ରାଜସ୍ଥାନର ନଗୌର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମୋତିଲାଲ୍‌ ଭୋରା ଜଣେ ସାମ୍ବାଦିକରୁ ପେଷା ଆରମ୍ଭ କରିଥିଲେ । ୧୯୭୧ରେ ମଧ୍ୟପ୍ରଦେଶରୁ ପ୍ରଥମ ଥର ପାଇଁ କଂଗ୍ରେସର ବିଧାୟକ ଭାବେ ର୍ନିବାଚିତ ହୋଇଥିଲେ ।

ଅନେକ ଥର ସେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ୧୯୮୫ ମସିହାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୁଣି ୧୯୯୩ରେ ଦଳ ତାଙ୍କୁ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲା । ମୋତିଲାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି । ମୋତିଲାଲ କଂଗ୍ରେସର ବିଶ୍ୱାସୀ ଲୋକ ଓ ଜଣେ ଚମତ୍କାର ବ୍ୟକ୍ତିତ୍ୱର ଅଧିକାରୀ ବୋଲି ରାହୁଲ କହିଛନ୍ତି । ସେହିପରି ପ୍ରିୟଙ୍କା ଗାନ୍ଧି, ରଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଜୟରାମ ରମେଶ ଓ କପିଲ ଶିବଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.