Below header

ଜମ୍ମୁ କଶ୍ମୀରରେ ସେନାକୁ ସଫଳତା, ପୁଞ୍ଛରେ ୪ ଆତଙ୍କୀକୁ ନିପାତ କଲା ଭାରତୀୟ ସେନା

ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଭାରତୀୟ ସେନା ଯବାନ ଆଜି ସକାଳୁ ୪ ଜଣ ଆତଙ୍କୀଙ୍କୁ ନିହତ କରିଛନ୍ତି ।

ଜମ୍ମୁ କଶ୍ମୀରରେ ପୁଞ୍ଛରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତିରୁ ଗୁଳି ବିନିମୟ ଜାରି ରହିଥିଲା । ପୁଞ୍ଛର ସିନ୍ଧାରା ଅଞ୍ଚଳରେ ଏହି ଗୁଳି ବିନିମୟ ଚାଲିଥିଲା । ରାତି ୧୧.୩୦ ରେ ଆତଙ୍କୀ ଏବଂ ସୁରକ୍ଷା ବଳ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହାପରେ ଡ୍ରୋନ ଏବଂ ଅନ୍ୟ ସର୍ଭିଲାନ୍ସ ଜରିଆରେ ଆତଙ୍କୀକୁ ଖୋଜି ଏନକାଉଣ୍ଟର କରାଯାଇଥିଲା ।

ଏହି ଅପରେସନର ନାମ ତ୍ରିନେତ୍ର ରହିଥିଲା । ସେନାର ସ୍ୱତନ୍ତ୍ର ବଳ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀର ପୋଲିସ ଯବାନ ଏବଂ ଅନ୍ୟ ଯବାନମାନେ ଅପରେସନରେ ସାମିଲ ରହିଥିଲେ । ନିହତ ହୋଇଥିବା ଆତଙ୍କବାଦୀଙ୍କ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି । ଘଟଣା ସ୍ଥଳରୁ ପୋଲିସ ଗ୍ରେନେଡ ଏବଂ ଅନ୍ୟ ସାମଗ୍ରୀ ଜବତ କରିଛି । ସର୍ଚ୍ଚ ଅପରେସନ ପରେ ସୁରକ୍ଷା ବଢାଇଦିଆଯାଇଛି ।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି । ନିୟନ୍ତ୍ରଣ ରେଖା (LoC) ନିକଟରେ ସେମାନେ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ବିଫଳ କରି ଦେଇଛନ୍ତି । ସେଠାରେ ସର୍ଚ୍ଚ ଅପରେସନ୍ ପୂର୍ବରୁ ହିଁ ଜାରି ରହିଥିଲା ।

ଏହାପୂର୍ବରୁ ଜମ୍ମୁ-କଶ୍ମୀରର ପୁଞ୍ଛ ସେକ୍ଟରରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯିବା ପରେ ସୋମବାର ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଏଲ୍‌ଓସି (LoC) ଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୋମବାର ସକାଳେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.