Below header

ଜର୍ମାନୀ ଅଦାଲତ ୯୬ ବର୍ଷୀୟା ନାଜି ମହିଳାଙ୍କ ବିରୋଧରେ ଜାରି କଲା ଗିରଫ ପରଓ୍ଵାନା, ୧୧,୪୧୨ ଲୋକଙ୍କ ହତ୍ୟାରେ ଥିଲେ ସାମିଲ

ଜର୍ମାନର ଏକ ଜିଲ୍ଲା କୋର୍ଟ ଜଣେ ୯୬ ବର୍ଷୀୟା ମହିଳାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି, ଯାହା ପରଠାରୁ ଏହି ମାମଲା ଚର୍ଚ୍ଚାରେ ରହିଛି। ବାସ୍ତବରେ, ନାଜି ଯୁଦ୍ଧ ସମୟରେ ହୋଇଥିବା ହତ୍ୟାକାଣ୍ଡରେ ଏହି ମହିଳାଙ୍କ ଭୂମିକା ସନ୍ଦେହଜନକ ରହିଥିଲା ଏବଂ ଏବେ ମକଦ୍ଦମା ଆରମ୍ଭ ହେବା ପୂର୍ବରୁ ସେ ଫେରାର ହୋଇଯାଇଛନ୍ତି।

ଅଭିଯୋଗ ଥିଲା କି, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ଶିବିରରେ ହୋଇଥିବା ସାମୂହିକ ହତ୍ୟାକାଣ୍ଡରେ ସହାୟତା କରିବା ଏବଂ ଉସୁକାଇବାରେ ମହିଳା ସାମିଲ ଥିଲେ। ଏହି ଅଭିଯୋଗ ଉପରେ ଗୁରୁବାର ଶୁଣାଣି ଥିଲା, କିନ୍ତୁ ମକଦ୍ଦମା ପୂର୍ବରୁ ମହିଳା ଜଣକ ପଳାଇ ଯାଇଥିଲେ। ମହିଳାଙ୍କ ନାମ ଇରମଗାର୍ଡ ଫୁରଚନର। ଯେବେ ସେ ୧୮ ବର୍ଷର ହୋଇଥିଲେ, ତ ୧୧,୪୧୨ଜଣ ଲୋକଙ୍କ ହତ୍ୟାରେ ତାଙ୍କର ହାତ ଥିବା ନେଇ ଅଭିଯୋଗ ହୋଇଥିଲା। ଏହି କମ୍‌ ବର୍ଷ ବୟସରେ ସେ ଷ୍ଟୁଥୋଫ୍ ଏକାଗ୍ରତା ଶିବିରରେ ୧୯୪୩ରୁ ୧୯୪୫ ମସିହା ମଧ୍ୟରେ ଜଣେ ଟାଇପିଷ୍ଟ ରୂପେ କାମ କରୁଥିଲେ।

ଅନ୍ୟପକ୍ଷରେ, ଇତଜେହୋ ଜିଲ୍ଲା କୋର୍ଟର ପ୍ରବକ୍ତା ଫ୍ରେଡରିକ ମିଲହୋଫର ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ ମହିଳା ଫେରାର ହୋଇଯାଇଛନ୍ତି ଏବଂ ସେ ସକାଳୁ ସକାଳୁ ମେଟ୍ରୋ ଷ୍ଟେଶନ ଆଡକୁ ଟ୍ୟାକ୍ସି ନେଇ ନିଜ ଘରୁ ବାହାରି ଯାଇଥିଲେ। ମିଲହୋଫର କହିଛନ୍ତି, ମହିଳାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଯେ ପର୍ଯ୍ୟନ୍ତ ମହିଳା ଏଠାରେ ଉପସ୍ଥିତ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମାମଲାର ଶୁଣାଣି ହୋଇପାରିବ ନାହିଁ।

କହି ରଖୁଛୁ ଯେ ପାଖାପାଖି ୬୫ ହଜାର ଲୋକଙ୍କୁ ଷ୍ଟୁଥୋଫ୍ ଏକାଗ୍ରତା ଶିବିରରେ ହତ୍ୟା କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ଅନେକ ଯିହୂଦୀ ଥିଲେ। ଅନେକ କଏଦୀ ପୁଷ୍ଟିହୀନତା ଏବଂ ରୋଗ ଯୋଗୁ ମୃତ୍ୟୁବରଣ କରିଥିଲେ। ଏହି ଶିବିର ଗ୍ୟାସ ଚାମ୍ବର ଏବଂ ଅନ୍ୟାନ୍ୟ ମାରାତ୍ମକ ଉପକରଣରେ ସୁସଜ୍ଜିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.