କେରଳ ବନ୍ୟାକୁ ବଡ଼ ପ୍ରାକୃତିକ ବିପତ୍ତି ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର

କେରଳ ବନ୍ୟାକୁ ବଡ଼ ପ୍ରାକୃତିକ ବିପତ୍ତି ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଶତାବ୍ଦୀର ସବୁଠୁ ବଡ଼ ବନ୍ୟାରେ କେରଳର ଅପୂରଣୀୟ କ୍ଷତି ଘଟିଛି । ତମାମ ରାଜ୍ୟ ଛାରଖାର ହୋଇ ଯାଇଛି । ରାସ୍ତାଘାଟ, ପୋଲ, ଘର, ଚାଷ ଜମି, ସବୁ କିଛି ନଷ୍ଟ ହୋଇ ଯାଇଛି । ବର୍ଷା କମିଛି, ହେଲେ ଏବେ ବି ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି । ପାଣି ଘେରରେ ଲୋକ ଫସି ରହିଛନ୍ତି । ତେବେ ବର୍ଷା କମିଥିବାରୁ ଉଦ୍ଧାର କାର୍ୟ୍ୟ ତ୍ୱରାନ୍ଵିତ ହୋଇଛି । ସ୍ଥିତି ସ୍ୱାଭାବିକ ହେବା ପର୍ୟ୍ୟନ୍ତ କେରଳରେ ସେନା ତାର କାର୍ୟ୍ୟ ଜାରି ରଖିବ । ଏବେ ବି ପାଖାପାଖି ୭ ଲକ୍ଷରୁ ଅଧିକ ଲୋକ ରିଲିଫ୍ କ୍ୟାମ୍ପରେ ଅଛନ୍ତି । ପାଣି ଛାଡୁଥିବାରୁ କିଛି ଲୋକ ରିଲିଫ କ୍ୟାମ୍ପରୁ ଘରମୁହାଁ ହେଉଛନ୍ତି । କେରଳକୁ ଚାରିଆଡୁ ସହାୟତାର ସୁଅ ଛୁଟିଛି ।

କେନ୍ଦ୍ର ସରକାର ବିପୁଳ ପରିମାଣର ଖାଦ୍ୟଶଶ୍ୟ ଏବଂ ଔଷଧ ପଠାଇଛନ୍ତି । ବିଭିନ୍ନ ରାଜ୍ୟ ମଧ୍ୟ କେରଳକୁ ଖାଦ୍ୟଶଶ୍ୟ ପାଠାଉଛନ୍ତି । ସବୁ ସାଂସଦ ମାନଙ୍କୁ ସେମାନଙ୍କର ଗୋଟିଏ ମାସର ଦରମା ସହ ଏମପିଲ୍ୟାଡରୁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରିବାକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଚିଠିଲେଖି ଅନୁରୋଧ କରିଛନ୍ତି । ଏବେ କେରଳ ସରକାରଙ୍କ ଆଗରେ ବଡ ଚ୍ୟାଲେଞ୍ଜ ହେବ ଏହି ବିପତ୍ତିର ମୁକାବିଲା । ଏହି ମହା ବନ୍ୟାରେ କେରଳର ୨୦ ହଜାର କୋଟି ଟଙ୍କାର କ୍ଷତି ଘଟିଥିବା ପ୍ରାଥମିକ ଆକଳନ କରାଯାଇଛି । ଏହାଛଡା ପୂରା ରାଜ୍ୟର ଚାଷ ଉଜୁଡ଼ି ଯାଇଛି । କେରଳର ଏହି କ୍ଷତ ଭରିବା ପାଇଁ ବର୍ଷବର୍ଷ ଲାଗିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.