ପ୍ରୋମୋସନ ହେଲା ବୋଲି ପୁଅ ମାଗିଲା ୩୦ ଲକ୍ଷ ଟଙ୍କାର ଯୌତୁକ, ଅଭିଯୋଗ ପରେ ଚାଲିଛି ତଦନ୍ତ

ଉତ୍ତରପ୍ରଦେଶର ବରେଲିରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ରେଳବାଇରେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କର ପ୍ରୋମୋସନ୍‌ ହେବାରୁ ସେ ବିବାହର ଯୌତୁକ ଦାମକୁ ବଢ଼ାଇଥିଲେ । ବର ପକ୍ଷ ଲୋକ ସିଧାସଳଖ କନ୍ୟା ପକ୍ଷକୁ ୩୦ ଲକ୍ଷ ଟଙ୍କା ମାଗିଥିଲେ ।

ଏକବିଂଶ ଶତାବ୍ଦୀରେ ଆଜି ବି ଜାରି ରହିଛି ଯୌତୁକ ପ୍ରଥା । ବିନା ଯୌତୁକରେ ବିବାହ ହେଉନି କହିଲେ ଚଳେ । ଆଇନ ଅନୁସାରେ ଏହା ଏକ ଅପରାଧ ହୋଇଥିଲେ ମଧ୍ୟ ଲୁଚା ଛପାରେ ଯୌତୁକ ଦେବାନେବାର କାରବାର ଆଜି ବି ଚାଲୁଛି । ଆଉ ଯଦି ପୁଅର ସରକାରୀ ଚାକିରି ତାହେଲେ କଥା ସରିଲା । ବିନା ଯୌତୁକରେ ବିବାହ ଯେମିତି ଅସମ୍ଭବ । ଲୋକମାନେ ଯେତେ ଆଧୁନିକ ହେଲେ ମଧ୍ୟ ଆଜି ବି ଏହି ଯୌତୁକ ପ୍ରଥା ରହି ଆସିଛି । ଯୁଗ ସହିତ ତାଳ ଦେଇ ଚାଲୁଥିବା ମଣିଷ ଏତେ ଲୋଭି ହୋଇଯାଇଛି ଯେ ଟଙ୍କା ଲୋଭରେ ଅତି ତଳକୁ ଖସି ଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଯୌତୁକ ଦାବି କରିଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ । ଯିଏ ସାମାନ୍ୟ ଚାକିରିରେ ପ୍ରୋମୋସନ ହେବାରୁ ଅଧିକ ଯୌତୁକ ଦାବି କରିଥିବା ଜଣା ପଡ଼ିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ।

ଉତ୍ତରପ୍ରଦେଶର ବରେଲିରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ରେଳବାଇରେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କର ପ୍ରୋମୋସନ୍‌ ହେବାରୁ ସେ ବିବାହର ଯୌତୁକ ଦାମକୁ ବଢ଼ାଇଥିଲେ । ବର ପକ୍ଷ ଲୋକ ସିଧାସଳଖ କନ୍ୟା ପକ୍ଷକୁ ୩୦ ଲକ୍ଷ ଟଙ୍କା ମାଗିଥିଲେ । କେବଳ ଏତିକି ନୁହେଁ ଯେତେବେଳେ କନ୍ୟା ପକ୍ଷ ଏତେ ଟଙ୍କା ଦେବା ପାଇଁ ମନା କରିଥିଲେ, ସେତେବେଳେ ପୁଅପକ୍ଷ ବିବାହ ପାଇଁ ମନା କରି ଦେଇଥିଲେ । କନ୍ୟାର ବାପା ଏଡିଜିଙ୍କ ପାଖରେ ଅଭିଯୋଗ କରି ସମଗ୍ର ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି, ଏହା ପରେ କ୍ୟାଣ୍ଟ ଥାନାରେ ବର ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି ।

ବରେଲିର କ୍ୟାଣ୍ଟ ଥାନା ଅଞ୍ଚଳର ଡିଫେରେନ୍ସ କଲୋନୀରେ ରହୁଥିବା ରାମଜିଲାଲ ଅଭିଯୋଗ କରିଛନ୍ତି ଯେ ଫେବୃଆରୀ ୨୦୨୩ରେ ଶାହାଜାହାନପୁରର ସୁଭାଷ ନଗରରେ ରହୁଥିବା ଦେବେନ୍ଦ୍ର ସିଂଙ୍କ ସହ ତାଙ୍କ ଝିଅର ବିବାହ ସ୍ଥିର ହୋଇଥିଲା । ତେବେ ଦେବେନ୍ଦ୍ର ପ୍ରଥମେ ରେଳବାଇର ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ଥିଲେ । କିନ୍ତୁ କିଛି ସମୟ ପରେ ଦେବେନ୍ଦ୍ରର ପ୍ରୋମୋସନ ହୋଇଥିଲା । ତେଣୁ ବରପକ୍ଷରୁ କନ୍ୟା ପକ୍ଷ ଲୋକଙ୍କୁ ୨୫ ଲକ୍ଷ ଟଙ୍କା ନଗଦ ଭାବେ ମାଗିବା ସହ ବିବାହରେ ୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ ।

ଯେତେବେଳେ କନ୍ୟାପକ୍ଷ ଯୌତୁକ ଦେବାକୁ ମନା କରିଦେଇଥିଲେ, ପୁଅର ପରିବାର ବିବାହ ପାଇଁ ମନା କରିଥିଲେ ଏବଂ ଯୌତୁକ ଦେଲେ ହିଁ ବିବାହ ହେବ ବୋଲି କହିଥିଲେ । ଅନେକ ଥର ବରପକ୍ଷଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ଝିଅର ପରିବାର କିନ୍ତୁ ବର ଏବଂ ତାଙ୍କ ପରିବାର ବିବାହ ପାଇଁ ରାଜି ହୋଇନଥିଲେ । ବିବାହ ପାଇଁ ଅରାଜି ହେବାରୁ କନ୍ୟାର ବାପା ଏନେଇ ଅଭିଯୋଗ କରିଥିଲେ । ଏଡିଜିଙ୍କ ନିର୍ଦ୍ଦେଶରେ ପୋଲିସ ବର ସମେତ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.