ଗୁଜରାଟ: ରାଜକୋଟରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଗୁଜରାଟର ରାଜକୋଟରେ ରବିବାର ଅପରାହ୍ନ ୩ଟା ୨୧ରେ ୪.୩ ତୀବ୍ରତାର ଭୂମିକମ୍ପ ଆସିଛି। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏ ନେଇ ସୂଚନା ଦେଇଛି। ଗତ ସପ୍ତାହରେ ବି ଗୁଜରାଟର ଅମରେଲି ଜିଲ୍ଲାରେ ଲଗାତାର ଦୁଇ ଦିନରେ ଭୂମିକମ୍ପର ୩ ମାମୁଲି ଝଟ୍‌କା ଅନୁଭୂତ ହୋଇଥିଲା।

ଗୁଜରାଟର ରାଜକୋଟ୍‌ରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୪.୩। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏ ନେଇ ଟ୍ଵିଟ୍‌ କରି କହିଛି ଯେ ରାଜକୋଟ୍‌ର ଉତ୍ତର-ଉତ୍ତର ପଶ୍ଚିମରେ ପାଖାପାଖି ୨୭୦ କିଲୋମିଟର ଦୂରରେ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି। ଏହି ଭୂମିକମ୍ପ ଦ୍ୱିପ୍ରହର ୩ଟା ୨୧ ମିନିଟ୍‌ରେ ଆସିଥିଲା। ଏ ପର୍ଯ୍ୟନ୍ତ କେହି ମୃତାହତ କି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ।

ଗତ ସପ୍ତାହରେ ଅମରେଲି ଜିଲ୍ଲାରେ ଦୁଇ ଦିନରେ ଭୂମିକମ୍ପର ୩ ମାମୁଲି ଝଟ୍‌କା ଅନୁଭବ କରାଯାଇଥିଲା। ଜିଲ୍ଲାର ସାବରକୁଣ୍ଡଳା ତାଲୁକାରେ ୩.୧ ତୀବ୍ରତାର ଭୂମିକମ୍ପ ଆସିଥିଲା। ଯଦିଓ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲା। ଏହି ଝଟ୍‌କା ସାବରକୁଣ୍ଡଳା ତାଲୁକାର ମିତିୟାଲା ଗାଁରେ ଅମରେଲି ଠାରୁ ୪୪ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬.୨ କିଲୋମିଟର ଗଭୀରରେ ରେକର୍ଡ କରାଯାଇଥିଲା।

କହି ରଖୁଛୁ, ହାଇଦ୍ରାବାଦର ନ୍ୟାସନାଲ ଜିଓ ଫିଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ସିସ୍‌ମୋଲୋଜି ବିଭାଗର ମୁଖ୍ୟ ବୈଜ୍ଞାନିକ ଡ. ଏନ୍‌ ପୂର୍ଣ୍ଣଚନ୍ଦ୍ର ରାଓ ଚେତାବନୀ ଦେଇଛନ୍ତି ଯେ ଭାରତର ଉତ୍ତରାଖଣ୍ଡ ଅଞ୍ଚଳ ଏବଂ ପଶ୍ଚିମ ନେପାଳର ଭାଗ ଯେଉଁ ସ୍ଥିତିରେ ରହିଛି, ସେଠାରେ କେବେ ବି ତୁର୍କୀ ଭଳି ଭୂମିକମ୍ପ ଆସିପାରେ। ତୁର୍କୀରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯେଉଁଥିରେ ପାଖାପାଖି ୪୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.