ଲେବାନନ୍‌ରେ ଆମେରିକା ଦୂତାବାସ ଉପରେ ଆକ୍ରମଣ, ଜଣେ ବନ୍ଧୁକଧାରୀଙ୍କୁ କାବୁ କଲା ସେନା

ଲେବାନନ୍‌ର ରାଜଧାନୀ ବେରୁତ ନିକଟରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଦୂତାବାସ ଉପରେ ଆକ୍ରମଣ କରୁଥିବା ବେଳେ ଜଣେ ବନ୍ଧୁକଧାରୀଙ୍କୁ ସୈନିକମାନେ କାବୁ କରିନେଇଛନ୍ତି । କୁହାଯାଉଛି ଯେ ଆକ୍ରମଣକାରୀ ୪ ଜଣ ଥିଲେ ।

ସେନା ଏହା ବିଷୟରେ ସୂଚନା ଦେଇଛି । ଆକ୍ରମଣ ଏମିତି ସମୟରେ ହୋଇଛି, ଯେତେବେଳେ କି, ଏହି ଛୋଟିଆ ଭୂମଧ୍ୟସାଗରୀୟ ଦେଶରେ ଉତ୍ତେଜନାମୂଳକ ସ୍ଥିତି ରହିଛି । ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲା ଏବଂ ଇସ୍ରାଏଲ୍ ସୈନିକମାନଙ୍କ ମଧ୍ୟରେ ମାସ ମାସ ଧରି ଚାଲିଥିବା ସଂଘର୍ଷ ଯୋଗୁ ଏହି ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଏହା ସହିତ ଲେବାନନ୍ ଦୀର୍ଘ ବର୍ଷ ଧରି ରାଜନୈତିକ ଗତିରୋଧ ଏବଂ ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି ।

ଲେବାନନ୍‌ର ସେନା ଏକ ବିବୃତ୍ତିରେ କହିଛି ଯେ ସୈନିକମାନେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଆକ୍ରମଣକାରୀ ଜଣେ ସିରିଆର ନାଗରିକ ବୋଲି ସେନା ଚିହ୍ନଟ କରିଛି । ସେନା ଗୁଳିରେ ଆହତ ଆକ୍ରମଣକାରୀଙ୍କୁ ହସ୍ପିଟାଲ ନିଆଯାଇଥିଲା । ଆକ୍ରମଣ ପଛର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ଏହି ଘଟଣାରେ ଦୂତାବାସର କୌଣସି କର୍ମଚାରୀ ମୃତାହତ ହୋଇନାହାନ୍ତି ।

ସ୍ଥାନୀୟ ଗଣମାଧ୍ୟମରେ କିଛି ଫଟୋ ପ୍ରକାଶିତ ହୋଇଛି, ଯେଉଁଥିରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଆକ୍ରମଣକାରୀ କଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖାଯାଉଛନ୍ତି । ଏହା ଉପରେ ଆରବି ଭାଷାରେ ‘ଇସଲାମିକ୍ ଷ୍ଟେଟ୍’ ଏବଂ ଇଂଲିଶ୍‌ରେ ‘ଆଇ’ ଏବଂ ‘ଏସ୍‌’ ଲେଖାଯାଇଛି ।

Leave A Reply

Your email address will not be published.