ଗାଡ଼ି ଅଟକାଇ ବନ୍ଧୁକ ମୁନରେ କନ୍ୟାକୁ କଲେ ଅପହରଣ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ବଢ଼ିଲା ଝିଅ ଏକୁଟିଆ ରାସ୍ତାରେ ଚାଲିବା କେତେ କଷ୍ଟକର ତାହା ଜଣେ ବାପାଠୁ ଅଧିକ କିଏ ଜାଣିବ! ଝିଅ ବଡ଼ ହେବା ପରେ ସବୁ ବାପା ମା’ ତା ବିବାହ କଥା ଚିନ୍ତା କରନ୍ତି। ଆଉ ଝିଅକୁ ଯଦି କେହି ଗୁଣ୍ଡା ବଦମାସ ହଇରାଣ କରୁଥାଏ ତେବେ ବିବାହ ବୟସ ହେବା ପୂର୍ବରୁ ହିଁ ଝିଅର ବିବାହ କରିଦିଆଯାଏ। ମାତ୍ର ବିବାହ ବେଳେ କନ୍ୟାକୁ ଅପହରଣ କରିବା କଥା ବୋଧେ କେହି କେବେ ଶୁଣିନଥିବେ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ହରିୟାଣାର ରୋହତକ ଜିଲ୍ଲାରେ ବେଦୀକୁ ଯିବା ବେଳେ ଏକ କନ୍ୟାକୁ କିଛି ଗୁଣ୍ଡା ଟେକି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ୬ ଘଣ୍ଟା ଭିତରେ ଝିଅକୁ ଅଭିଯୁକ୍ତର ପିଉସୀ ଘରୁ ଉଦ୍ଧାର କରିଛି। ପୋଲିସ ଏବେ ଅଭିଯୁକ୍ତକୁ ଖୋଜୁଥିବା ଜଣାଯାଇଛି।

gun

ରୋହତକ ଜିଲ୍ଲା ମୋଖରା ଗାଁର ରଞ୍ଜିତ ସବୁବେଳେ ପିଙ୍କିକୁ ହଇରାଣ କରିଆସୁଥିଲା। ସେ ପିଙ୍କିକୁ ରାସ୍ତାରେ ଚଲାଇଦେଉନଥିଲା। ରଞ୍ଜିତର ଦାଦାଗିରିରେ ଅତିଷ୍ଠ ହୋଇ ପିଙ୍କିର ବାପା ତାକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାବିଥିଲେ ଯେ ଝିଅ ବାହା ହୋଇଗଲେ ରଞ୍ଜିତର ଉତ୍ପାତ କମିଯିବ। କିନ୍ତୁ ରଞ୍ଜିତ ଥିଲା ନଛୋଡ଼ବନ୍ଧା। ସେ ଯେକୌଣସି ପରିସ୍ଥିତିରେ ବି ପିଙ୍କିକୁ ପାଇବାକୁ ଚାହୁଁଥିଲା। ଏଣୁ ସୁଯୋଗ ଅପେକ୍ଷାରେ ଥିଲା। ବିବାହ ଦିନ ପିଙ୍କି ମଣ୍ଡପକୁ ଯିବା ବେଳେ ରାସ୍ତା ମଝିରେ ରଞ୍ଜିତ କିଛି ଗୁଣ୍ଡାକୁ ସାଙ୍ଗରେ ଧରି ବନ୍ଧୁକ ଦେଖାଇ ପିଙ୍କିକୁ ଅପହରଣ କରି ନେଇଯାଇଥିଲା।

ପିଙ୍କିକୁ କିଡ୍‌ନାପ କରାଯାଇଥିବା ନେଇ ତା’ ଭାବି ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ ଓ ରଞ୍ଜିତ ହିଁ ଏହି କାମ କରିଥିବା କହିଥିଲେ। ଅଭିଯୋଗ କ୍ରମେ ପୋଲିସ ଖୋଜାଖୋଜି କରିବାରୁ ପିଙ୍କିକୁ ରଞ୍ଜିତର ପିଉସୀଙ୍କ ଘରୁ ଉଦ୍ଧାର କରିଛି। ପିଙ୍କିଙ୍କ ଡାକ୍ତରୀମାଇନା କରାଯିବା ସହ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ। ମାତ୍ର ଏବେ ବି ଫେରାର ଅଛି ଅପହରଣକାରୀ ରଞ୍ଜିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.