କେଉଁଠି ଥିଲେ ୮୦ ହଜାର ପୋଲିସ କର୍ମୀ? ଅମ୍ରିତପାଲ ସିଂ ମାମଲାରେ ଗୁଇନ୍ଦା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ବୋଲି କହିଲେ ହାଇକୋର୍ଟ
'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ତଥା ପଳାତକ ଅମ୍ରିତପାଲ ସିଂ ଏବେ କେଉଁଠି। କାହିଁକି ସେ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଧରାପଡ଼ି ନାହାନ୍ତି। ପଞ୍ଜାବ ପୋଲିସ ଏ ଯାଏ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଏହି ମାମଲାକୁ ନେଇ ଏବେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାଜ୍ୟ ସରକାର ଓ ପୋଲିସ ବିଭାଗ ଉପରେ କଡ଼ା ଟିପ୍ପଣୀ କରିଛନ୍ତି।

‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ତଥା ପଳାତକ ଅମ୍ରିତପାଲ ସିଂ ଏବେ କେଉଁଠି। କାହିଁକି ସେ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଧରାପଡ଼ି ନାହାନ୍ତି। ପଞ୍ଜାବ ପୋଲିସ ଏ ଯାଏ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଏହି ମାମଲାକୁ ନେଇ ଏବେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାଜ୍ୟ ସରକାର ଓ ପୋଲିସ ବିଭାଗ ଉପରେ କଡ଼ା ଟିପ୍ପଣୀ କରିଛନ୍ତି।
ଗୁଇନ୍ଦା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ବୋଲି ଅମ୍ରିତପାଲ ସିଂଙ୍କ ମାମଲାରୁ ସ୍ପଷ୍ଟ ପ୍ରମାଣିତ ହେଉଥିବା ହାଇକୋର୍ଟ କହିଛନ୍ତି। ଯେତେବେଳେ ଅମ୍ରିତପାଲ ସିଂ ଫେରାର ହୋଇଥିଲେ, ସେତେବେଳେ ରାଜ୍ୟର ୮୦,୦୦୦ ପୋଲିସକର୍ମୀ କ’ଣ କରୁଥିଲେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ସେପଟେ ଅମ୍ରିତପାଲ ସିଂ ନେପାଳ ପଳାଇ ଯାଇଥିବା କୁହାଯାଉଛି।
ଶୁଣାଣି ସମୟରେ ପଞ୍ଜାବ ପୋଲିସ କୋର୍ଟଙ୍କୁ କହିଛି ଯେ ଅମ୍ରିତପାଲ ସିଂଙ୍କ ଉପରେ ମଧ୍ୟ ଏନଏସଏ ଲାଗୁ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅମ୍ରିତପାଲଙ୍କର ୧୧୨ରୁ ଅଧିକ ସହଯୋଗୀଙ୍କୁ ଗିରଫ କରାଯାଇଛି। ହାଇକୋର୍ଟ ପୋଲିସକୁ କଡ଼ା ଭାଷାରେ କହିଛନ୍ତି ଯେ ଆପଣ ପୂରା ଅପରେସନ୍ ପାଇଁ ଯୋଜନା ପ୍ରସ୍ତୁତ କଲେ, ସମସ୍ତେ ଗିରଫ ହେଲେ, କିନ୍ତୁ ଅମ୍ରିତପାଲ ନୁହେଁ।
ତେବେ ଚାରି ଦିନ ପରେ ଏହି ମାମଲାର ପୁଣିଥରେ ଶୁଣାଣି ହେବ ବୋଲି କୁହାଯାଉଛି। ଏହାରି ଭିତରେ ଅମ୍ରିତପାଲ ସିଂଙ୍କର ପାକିସ୍ତାନର ଗୁପ୍ତଚର ସଂସ୍ଥା ସହ ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଛି।
ସୂଚନାଥାଉ କି, ପୋଲିସ ଅମ୍ରିତପାଲ ସିଂ ଏବଂ ତାଙ୍କ ଦଳ ‘ୱାରିସ୍ ପଞ୍ଜାବ ଦେ’ର ସଦସ୍ୟଙ୍କ ବିରୋଧରେ ମାର୍ଚ୍ଚ ୧୮ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହା ଅଧୀନରେ ଏ ପର୍ଯ୍ୟନ୍ତ ୧୧୨ରୁ ଅଧିକ ସମର୍ଥକଙ୍କୁ ଗିରଫ କରାଯାଇଛି। ପଞ୍ଜାବ ପୋଲିସ ଅମ୍ରିତପାଲଙ୍କ ଡ୍ରାଇଭର ଓ ଦାଦାଙ୍କୁ ମଧ୍ୟ ଗିରଫ କରିଛି।