ପ୍ରଳୟ ରଚିଲା ହରିକେନ୍‌ ଇୟାନ: ମାଡ଼ି ଆସିଲା ୧୨ ଫୁଟର ଜୁଆର, ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟକୁ ଉପାଡ଼ି ଫୋପାଡ଼ି ଦେଲା

ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡ଼ାକୁ ମହାବିପତ୍ତି ଆଣିଛି ହରିକେନ୍‌ ଇୟାନ । ବ୍ୟାପକ କ୍ଷୟକ୍ଷତି ଘଟଣାଇଛି । ବହୁ ଅଞ୍ଚଳ ଛାରଖାର । ଲାଣ୍ଡଫଲ୍‌ ପରେ ପ୍ରଳୟ ରଚିଥିଲା ସାମୁଦ୍ରିକ ଝଡ଼ ଇୟାନ୍‌ । କ୍ଯାମେରାରେ କଏଦ କିଛି ଦୃଶ୍ୟ ଦର୍ଶାଉଛି କେତେ ଭୟଙ୍କର ଥିଲା ସାମୁଦ୍ରିକ ଝଡ଼ । ଘଣ୍ଟାପ୍ରତି ୨୮୦ କିଲୋମିଟର ବେଗରେ ପବନ ବହିଥିଲା । ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟକୁ ଉପାଡ଼ି ଫୋପାଡ଼ି ଦେଲା ।

ଅନ୍ଧାରରେ ଅଛନ୍ତି ଫ୍ଲୋରିଡ଼ାରେ ୨୫ ଲକ୍ଷରୁ ଅଧିକ ଲୋକ । ପବନର ପ୍ରକୋପ ଏତେ ଅଧିକ ଥିଲା ଯେ ସମୁଦ୍ର କୂଳରେ ଥିବା ଜାହାଜ, ବୋଟ୍‌ ଏବଂ ହ୍ୟାଙ୍ଗରରେ ଥିବା ହେଲିକପ୍ଟରକୁ ବି ଉଡ଼ାଇ ନେଇଥିଲା । ହରିକେନ୍‌ ପ୍ରଭାବରେ କୂଳ ଲଂଘିଲା ସମୁଦ୍ର । ୧୨ ଫୁଟର ଜୁଆର ମାଡ଼ି ଆସିଲା । ୨ମହଲା ଘର ପର୍ଯ୍ୟନ୍ତ ମାଡ଼ି ଆସିଥିଲା ପାଣି । ପବନ ଓ ପ୍ରବଳ ବର୍ଷା ପରେ ପାଣି ସୁଅରେ ଭାସିଯାଇଛି ବହୁ ଗାଡ଼ିମୋଟର ।

ପବନ ମାଡ଼ରେ ଭାଙ୍ଗି ଯାଇଛି ବଡ଼ ବଡ଼ ଘର । ବନ୍ୟା ଆଣିଛି ଇୟାନ୍‌ । ପ୍ରଭାବିତ ଅଞ୍ଚଳରେ ବଢ଼ିବାରେ ଲାଗିଛି ଜଳସ୍ତର । ଫ୍ଲୋରିଡ଼ାରେ ୫୦୦ ବର୍ଷରେ ସବୁଠୁ ବଡ଼ ବନ୍ୟା ଆଣିଛି ସାମୁଦ୍ରିକ ଝଡ଼ । ଫ୍ଲୋରିଡାରେ ଜରୁରିକାଳୀନ ପରିସ୍ଥିତି ଘୋଷଣା ହୋଇଛି । ସେପଟେ ନ୍ୟାସନାଲ୍‌ ହରିକେନ୍‌ ସେଣ୍ଟର କହିଛି, ଆଗକୁ ଇୟାନ୍‌ ପୁଣି ହରିକେନର ରୂପ ନେଇପାରେ । ଲାଣ୍ଡଫଲ୍‌ ପରେ ଦୁର୍ବଳ ପଡ଼ିଥିଲା । ଏବେ ପୁଣି ଥରେ ଘୂର୍ଣ୍ଣିବଳୟ ରୂପ ଧାରଣ କରି ସାଉଥ୍‌ କାରୋଲିନା ଅଭିମୁଖେ ଅଗ୍ରସର ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.