ବଢି ଚାଲିଛି ସପା ନେତା ଆଜମ ଖାନଙ୍କ ଅଢୁଆ, ଆଜମ ଖାନଙ୍କ ୬ଟି ଠିକଣାରେ ଚଢଉ କରିଛି ଆୟକର ବିଭାଗ

ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ମୁସ୍କିଲ ବଢିବାରେ ଲାଗିଛି । ଆଜି ସକାଳୁ ତାଙ୍କର ୬ଟି ସ୍ଥାନରେ ଆୟକର ବିଭାଗ ଚଢଉ ଜାରି ରଖିଛି ।

ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ପାଇଁ ପୁଣି ବଢିଲା ସମସ୍ୟା । ରାମପୁର ଠାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆୟକର ବିଭାଗ ଚଢଉ କରିଛି । ଲକ୍ଷ୍ନୌ, ରାମପୁର, ମେରଠ, ଗାଜିଆବାଦ, ସହାରନପୁର, ସୀତାପୁରରେ ଚଢଉ ଜାରି ରହିଛି । ରାଜ୍ୟ ଆୟକର ବିଭାଗ ଆଜମ ଖାନଙ୍କ ଅଲ ଜୋହର ଟ୍ରଷ୍ଟ ଉପରେ ଚଢଉ ପାଇଁ ଲକ୍ଷ୍ୟ ରଖିଛି। ଚଢଉ ସମୟରେ ଆଜମ ଖାନ ରାମପୁର ସ୍ଥିତ ଘରେ ରହିଥିଲେ ।

ଖବର ମୁତାବକ, ଆଜି ସକାଳ ୭ଟାରୁ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଆବାସ ଉପରେ ଆୟକର ବିଭାଗର ଟିମ୍‌ ଚଢଉ କରି କାର୍ଯ୍ୟାନୁଷ୍ଠାନ କରିଥିଲା । କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ ଆଦେଶରେ ଆୟକର ବିଭାଗର ଟିମ ଚଢଉ ଜାରି କରିଛି । ଆଜମ ଖାନଙ୍କ ନିକଟ ସଂପର୍କୀୟ ନାସିର ଖାନଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢଉ କରିଛି । ନସିର ଖାନ ଆଜମ ଖାନଙ୍କ ଜୋହର ଟ୍ରଷ୍ଟରେ ପଦାଧିକାରୀ ରହିଛନ୍ତି ।

ଆୟକର ବିଭାଗ ଚଢଉ କରି ଆଜମ ଖାନଙ୍କ ଅଲ ଜୋହର ୟୁନିଭରସିଟିର ଟ୍ରଷ୍ଟର ବିଭିନ୍ନ ଆକାଉଣ୍ଟ ଏବଂ ନେଣଦେଣ ଯାଞ୍ଚ କରୁଛି । ଆଜମ ଖାନଙ୍କ ଘରେ ସମସ୍ତ ପରିବାର ଲୋକେ ରହିଥିବା ବେଳେ କେନ୍ଦ୍ରୀୟ ସୁରକ୍ଷା ବଳ ନେତାଙ୍କ ଘରକୁ ଚାରିପଟୁ ଘେରିଯାଇଥିଲେ । କାହାକୁ ଭିତରକୁ ପ୍ରବେଶ ପାଇଁ ଅନମୁତି ନଥିଲା ।

ଆଜମ ଖାନ ୧୦ ଥର ରାମପୁରରୁ ବିଧାୟକ ରହିଥିବା ବେଳେ ୨ ଥର ସାଂସଦ ରହିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ସାଂସଦ ଏବଂ ବିଧାୟିକା ରହିସାରିଛନ୍ତି । ସେହିପରି ପୁଅ ମଧ୍ୟ ପୂର୍ବ ବିଧାୟକ ରହିଛନ୍ତି । ଉତ୍ତରପ୍ରଦେଶ ରାଜନୀତିରେ ଆଜମ ଖାନ ସମାଜବାଦୀ ପାର୍ଟିର ବଡ ମୁସଲମାନ ନେତାଙ୍କ ମଧ୍ୟରେ ଅନ୍ୟତମ । କିନ୍ତୁ ଆଜମ ଖାନ ଜୋହର ୟୁନିଭରସିଟିରେ ବେଆଇନ ଭାବେ ନିର୍ମାଣ କରିଥିବା ଅଭିଯୋଗ ରହିଛି । ଏହାକୁ ନେଇ ତାଙ୍କୁ ଉପରେ ୯୨ଟି ମାମଲା ରହିଛି । ଆଜମଙ୍କ ପରିବାର ବିରୋଧରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.