ନିର୍ବାଚନ ଜିତାନ୍ତୁ ଜହ୍ନକୁ ବୁଲିବାକୁ ଯାଆନ୍ତୁ: ସ୍ୱାଧୀନ ପ୍ରାର୍ଥୀ ଦେଲେ ଅନେକ ଅଦ୍ଭୁତ ପ୍ରତିଶ୍ରୁତି, ଶୁଣିଲେ ହସି ହସି ଗଡ଼ିବେ

ତାମିଲନାଡ଼ୁରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ଫୁଲ୍‌ ଦମ୍‌ରେ ପ୍ରଚାର ପ୍ରସାରରେ ଲାଗିପଡ଼ିଛନ୍ତି। ଏବେ ସବୁ ପ୍ରାର୍ଥୀ ଭୋଟରକୁ ଆକର୍ଷିତ କରିବାକୁ ଭିନ୍ନ ଭିନ୍ନ ପନ୍ଥା ମଧ୍ୟ ଆପଣାଉଛନ୍ତି। ଜଣେ ଆର ଜଣଙ୍କ ଠାରୁ ବଢ଼ି ଚଢ଼ି ପ୍ରତିଶ୍ରୁତି ଦେଉଛନ୍ତି।

ଏଆଇଏଡିଏମ୍‌କେ ଓ ଡିଏମ୍‌କେ ପାର୍ଟି ଓ୍ଵାଶିଂ ମେସିନ୍‌ ଓ ଡିଜିଟାଲ ଟାବଲେଟ୍‌ ଦେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଆର.ସରବନନ ଏକ ଅବିଶ୍ୱସନୀୟ ପ୍ରତିଶ୍ରୁତି ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ରାର୍ଥୀ ଲୋକଙ୍କୁ ଜହ୍ନକୁ ବୁଲାଇନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଅଦ୍ଭୁତ ଲାଗିପାରେ। କିନ୍ତୁ ଆର.ସରବନନ କହିଛନ୍ତି, ସେ ମାଗଣାରେ ଜିନିଷ ଦେବା ସଂସ୍କୃତି ଓ ଲମ୍ବା ଚଉଡ଼ା ରାଜନୈତିକ ପ୍ରତିଶ୍ରୁତି ବିରୋଧରେ ସଚେତନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେ‌ ମଦୁରାଇ ଦକ୍ଷିଣରୁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି।

ସରବନନ୍‌ ଜହ୍ନକୁ ୧୦୦ ଦିବସୀୟ ମାଗଣା ଯାତ୍ରା, ମାଗଣା ଆଇଫୋନ୍‌ ଏମିତିକି ଏକ ଛୋଟ ହେଲିକପ୍ଟର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସରବନନ୍‌ ବିଧାୟକ ଭାବେ ଚୟନ ହେବା ପରେ ପ୍ରତି ପରିବାରର ବ୍ୟାଙ୍କ ଖାତାକୁ ବାର୍ଷିକ ୧ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ଅକଳ୍ପନୀୟ ୧୪ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରେ ଲୋକଙ୍କ ଘରୋଇ କାମରେ ସାହାଯ୍ୟ ପାଇଁ ମାଗଣା ରୋବର୍ଟ, ସମସ୍ତଙ୍କ ପାଇଁ ସୁଇମିଂ ପୁଲ ସହ ତିନି ତାଲା ଘର, ଏକ ଛୋଟ ହେଲିକପ୍ଟର, ବିବାହ ପାଇଁ ମହିଳାଙ୍କ ପାଇଁ ସୁନା ଗହଣା, ପ୍ରତି ପରିବାର ପାଇଁ ଗୋଟିଏ ଲେଖାଏଁ ଡଙ୍ଗା ଓ ଯୁବପିଢ଼ିଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ ୧ କୋଟି ଟଙ୍କା ଦେବା ଆଦି ରହିଛି। କେବଳ ଏତିକି ନୁହେଁ, ସେ ଏକ ମହାକାଶ ଅନୁସନ୍ଧାନ ଷ୍ଟେସନ୍‌ ଓ ଏକ ରକେଟ୍‌ ଲଞ୍ଚ୍‌ ପ୍ୟାଡ୍‌ ବ୍ୟତୀତ ନିଜ ନିର୍ବାଚନ କ୍ଷେତ୍ରକୁ ଥଣ୍ଡା ରଖିବା ପାଇଁ ୩୦୦ ଫୁଟ୍‌ ଉଚ୍ଚ କୃତ୍ରିମ ବରଫ ପାହାଡ଼ ସ୍ଥାପନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଏ ନେଇ ପଚାରିବାରୁ ସରବନନ୍‌ ହସି ହସି କହିଛନ୍ତି, ମୁଁ ଲୋକଙ୍କ ମଧ୍ୟରେ ଜାଗୃକତା ସୃଷ୍ଟି କରିବାକୁ ଚାହୁଁଛି। ଫଳରେ ସେ ମାଗଣା ଖାଇବାକୁ ଇଚ୍ଛା କରିବେ ନାହିଁ। ଲୋକମାନେ ମାଗଣା ଖିଆ ସଂସ୍କୃତିରୁ ବାହାରିବା ଉଚିତ୍‌। ସେମାନେ ଜାଣିବା ଦରକାର ଯେ ରାଜନୈତିକ ଦଳ ତାଙ୍କ ଜୀବନକୁ ସୁଖଦ କରିବା ପାଇଁ କ’ଣ କରିଛନ୍ତି। ନିର୍ବାଚନ ବେଳେ ସବୁ ପାର୍ଟି ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥାନ୍ତି, କଥା କହିଥାନ୍ତି କିନ୍ତୁ ନିର୍ବାଚିତ ହେବା ପରେ ସେ ଲୋକଙ୍କୁ ଭେଟିବାକୁ ବି ଆସନ୍ତି ନାହିଁ। ଏହି ପରମ୍ପରାକୁ ମୁଁ ଶେଷ କରିବାକୁ ଚାହୁଁଛି ବୋଲି କହିଛନ୍ତି ସରବନନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.