ପୁଣି ଭାତୃତ୍ଵର ପରିଚୟ ଦେଲେ ଭାରତୀୟ ସେନା, ପାକିସ୍ତାନ ସେନା ଅଧିକାରୀଙ୍କ କବରକୁ କଲେ ରକ୍ଷଣାବେକ୍ଷଣ

ବାରମ୍ବାର ମହାନତା ତଥା ମାନବିକତାର ପରିଚୟ ଦେଇଚାଲିଛି ଭାରତୀୟ ସେନା । ଶତ୍ରୁପକ୍ଷ ଯେତେ ହିଂସ୍ର ଆଚରଣ କରି ଆସୁଥିଲେ ମଧ୍ୟ ସେନା ପକ୍ଷରୁ କେବେ ମଧ୍ୟ ଅବମାନନା କରାଯାଇନାହିଁ । କିଛି ଦିନ ତଳେ କିଛି ଅସୁସ୍ଥ ଚୀନ ସୈନ୍ୟଙ୍କ ଆବଶ୍ୟକ ମୁତାବକ ଦେଖାରେଖା କରି ସେନାର କିଛି କର୍ମଚାରୀ ସେମାନଙ୍କ ଦେଶରେ ଛାଡ଼ି ଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜମ୍ମୁ -କାଶ୍ମୀର ନଉଗାମ ଠାରେ ପାକିସ୍ତାନର ଜଣେ ସେନା ଅଧିକାରୀଙ୍କ କବର ରହିଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି କବରଟି ଧୀରେ ନଷ୍ଟ ହେବାକୁ ବସିଥିଲା । ଭାରତୀୟ ସେନାର ଏହା ଉପରେ ଦୃଷ୍ଟି ପଡିବା ପରେ ସବୁ ଶତ୍ରୁତାକୁ ଭୁଲି କବରଟିକୁ ଭଲ ଭାବରେ ସଜାଡ଼ି ଏହାର ରକ୍ଷଣାବେକ୍ଷଣର ଦାୟିତ୍ୱ ନିଜ ହାତକୁ ନେଇଛନ୍ତି । ଏମିତି ଏକ ଅସାଧାରଣ ପଦକ୍ଷେପ ନେଇ ପୁଣି ଥରେ ମହାନତାର ପରିଚୟ ଦେବା ସହ ବିଶ୍ୱରେ ନିଜ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଜମ୍ମୁ- କାଶ୍ମୀର ଶ୍ରୀନଗର ସ୍ଥିତ ଚୀନାର କ୍ରପ୍ସ ଉକ୍ତ କବର ନିକଟରେ ଥିବା ଫଳକର ଫଟୋ ଟ୍ୱିଟର ଜରିଆରେ ସେୟାର କରିଛନ୍ତି ।

ଏହି ପୋଷ୍ଟ ଟିରେ ଦର୍ଶାଯାଇଛିଯେ, ପାକିସ୍ତାନ ସେନାର ସୀତାରା-ଇ- ଜୂରତାର ମେଜର ମହମ୍ମଦ ସବୀର ଖାନଙ୍କ ସ୍ମୃତିରେ ଏହି କବରର ସ୍ଥାପନା କରାଯାଇଥିଲା । ସୂଚନାରୁ ଜଣାଯାଇଛିକି ୧୯୭୨ ମେ’ ୫  ତାରିଖରେ ନାଉଗାମ ସେକ୍ଟରରେ ଦୁଇ ଦେଶ ମଧ୍ୟର ଏକ ଗୁଳିବିନିୟମରେ ଏହି ସୈନ୍ୟ ଜଣଙ୍କ ପ୍ରାଣ ହରାଇଥିଲେ । ଆଉ ମଧ୍ୟ ଦର୍ଶାଯାଇଛିଯେ, ଦେଶ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲେ ମଧ୍ୟ ସେ ଜଣେ ସୈନ୍ୟ । ମୃତ୍ୟୁ ପରେ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ନିହାତି ଆବଶ୍ୟକ । ଭାରତୀୟ ଆର୍ମି ସର୍ବଦା ଏହି କଥାରେ ହିଁ ବିଶ୍ୱାସ ରଖିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.