ଯୁଦ୍ଧରେ ବି ମାନବିକତା ଭୁଲିନାହାନ୍ତି ଭାରତୀୟ ଛାତ୍ର, ନିଜ ସହ ପୋଷା ଜୀବଙ୍କୁ ବି ନେଇ ଫେରୁଛନ୍ତି ଘରକୁ

ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ପରେ ସେଠାରେ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ରୁଷର ମିସାଇଲ୍‌ ମାଡ଼ରେ ୟୁକ୍ରେନ୍‌ର ୧୦ଟି ବଡ଼ ସହର ଧୂଳିସାତ୍‌ ହୋଇସାରିଲାଣି। ଏଥିସହ ୟୁକ୍ରେନ୍‌ର ପରମାଣୁ ସେଣ୍ଟର ଉପରେ ବି ରୁଷ ଆକ୍ରମଣ କରିଛି। ଫଳରେ ସେଠାରେ ନିଆଁ ଲାଗିଯାଇଛି। ଏଣୁ ଆଗକୁ ବଡ଼ ଧରଣ ବିସ୍ଫୋରଣ ହେବ ବୋଲି ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି। ଆଉ ଯଦି ପରମାଣୁ ସେଣ୍ଟର ଫାଟେ ତେବେ ୧୦ ଗୁଣା ଅଧିକ କ୍ଷତି ଘଟିବ। ତେବେ ଇତି ମଧ୍ୟରେ ଭାରତର ଲୋକଙ୍କୁ ଦେଶକୁ ଫେରାଇ ଅଣାଯାଉଛି।

ଭାରତ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବିମାନ ଯୋଗେ ୟୁକ୍ରେନ୍‌ରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଅଣାଯାଉଛି। କିନ୍ତୁ ସେଠାରେ କିଛି ଛାତ୍ରଛାତ୍ରୀ ନିଜ ସହ ପାଳିତ ଜୀବଜନ୍ତୁଙ୍କୁ ମଧ୍ୟ ଆଣିବାକୁ ଜିଦ୍ଦି କରୁଥିବା ଦେଖାଯାଇଛି। ଯୁଦ୍ଧ ସ୍ଥିତିରେ ସେମାନେ ନିଜ ପୋଷା ଜନ୍ତୁଙ୍କୁ ସେଠାରେ ଛାଡ଼ି ଆସିବାକୁ ଚାହୁଁ ନାହାନ୍ତି। ମାନବିକତା ଦେଖାଇ ସେମାନେ ନିଜ ପାଳିତ କୁକୁର ଓ ବିଲେଇଙ୍କୁ ନିଜ ସହ ଆଣିବାକୁ ଅନୁମତି ଚାହୁଁଛନ୍ତି। ମାତ୍ର ଜୀବଜନ୍ତୁଙ୍କୁ ଆଣିବାକୁ ସରକାରଙ୍କ ଅନୁମତି ନଥିବାରୁ ପିଲାମାନେ ସେଠାରେ ହିଁ ନିଜ ପାଳିତ ଜୀବ ସହ ରହିବେ ବୋଲି କହୁଥିବା ଦେଖାଯାଇଛି।


ୟୁକ୍ରେନ୍‌ରେ ଇଞ୍ଜିନିୟରିଂ ପଢ଼ୁଥିବା ଋଷଭ କୌଶିକଙ୍କୁ ଯୁଦ୍ଧ ଯୋଗୁ ଭାରତକୁ ଫେରିବାକୁ ପଡ଼ିଛି। ତାଙ୍କ ସହ ଆଉ ଏକ ଜୀବ ତାଙ୍କ ପୋଷା କୁକର ମଲିବୋ ବି ରହିଛି। ସେ ମଲିବୋକୁ ତାଙ୍କ ସହ ଭାରତକୁ ଆଣିବାକୁ ଚାହୁଁଥିଲେ। କିନ୍ତୁ ସରକାର ଏଥିପାଇଁ ଅନୁମତି ଦେଇନଥିଲେ। ଏଣୁ ବାଧ୍ୟ ହୋଇ ସେ କହିଥିଲେ ଯେ ଯଦି ତାଙ୍କ କୁକୁର ନ ଯାଏ ତେବେ ସେ ବି ଆସିବେନି। ତାଙ୍କର କୁକୁର ପ୍ରତି ଭଲ ପାଇବା ଦେଖି ସରକାର ତାଙ୍କୁ କୁକୁରକୁ ଆଣିବାକୁ ଅନୁମତି ଦେଇଛନ୍ତି।

ସେହିପରି ଆଉ ଏକ ଘଟଣା ଘଟିଛି କେରଳର ଛାତ୍ରୀଙ୍କ କ୍ଷେତ୍ରରେ। ୟୁକ୍ରେନ୍‌ରେ ମେଡିକାଲ ପଢ଼ୁଥିବା କେରଳର ଝିଅ ଆର୍ଯ୍ୟା ବି ଭାରତ ଫେରିବା ବେଳେ ନିଜ ସହ ପୋଷା କୁକୁର ସାଇରାକୁ ଆଣିଛନ୍ତି। ସେ ଯୁଦ୍ଧ ମଧ୍ୟରେ ନିଜ ପୋଷା କୁକୁରକୁ ଛାଡ଼ି ଆସିବାକୁ ପ୍ରସ୍ତୁତ ନଥିଲେ। ତାଙ୍କୁ ୟୁକେନ୍‌ ସୈନ୍ୟ ମାନେ ଅଟକାଇ ଥିଲେ ମଧ୍ୟ। କିନ୍ତୁ ସେମାନେ ସଫଳ ହୋଇନଥିଲେ। ଫଳରେ ଆର୍ଯ୍ୟା ନିଜ କୁକୁର ସାଇରାକୁ ଧରି ଭାରତ ମାଟିରେ ଲ୍ୟାଣ୍ଡ୍‌ କରିଛନ୍ତି। ଯୁଦ୍ଧ ମଧ୍ୟରେ ସମସ୍ତେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଋଷଭ ଓ ଆର୍ଯ୍ୟାଙ୍କ ଭଳି ପିଲାମାନଙ୍କର ନିଜ ପୋଷା କୁକୁର ପ୍ରତି ଭଲ ପାଇବା ସମସ୍ତଙ୍କୁ ଅଭିଭୂତ କରିଛି।

Also Read: ୟୁକ୍ରେନ୍‌ରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ଉପରକୁ ଗୁଳିମାଡ଼, କେନ୍ଦ୍ର ମନ୍ତ୍ରୀ ଦେଲେ ସୂଚନା