ୟୁକ୍ରେନ୍‌ରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ଉପରକୁ ଗୁଳିମାଡ଼, କେନ୍ଦ୍ର ମନ୍ତ୍ରୀ ଦେଲେ ସୂଚନା

ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ଗୋଟିଏ ପରେ ଗୋଟିଏ ଭାରତୀୟ ଛାତ୍ର ବଳି ପଡ଼ୁଛନ୍ତି। ଆଜି ୟୁକ୍ରେନ୍‌ରେ ଆଉ ଜଣେ ଭାରତୀୟ ଛାତ୍ରକୁ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି। ଏ ନେଇ କେନ୍ଦ୍ର ମନ୍ତ୍ରୀ ଭିକେ ସିଂହ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ କହିବାନୁସାରେ, ଛାତ୍ର ଜଣକ କିଭ୍‌ରୁ ପଳାୟନ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସବୁ ଯୁଦ୍ଧ ଭିତରେ ହିଁ ଘଟିଛି।

ୟୁକ୍ରେନ୍‌ରେ ଫସିଥିବା ପିଲାଙ୍କୁ ଉଦ୍ଧାର କରିବାକୁ ଗଠିତ ହେଇଥିବା ଟିମ୍‌ର ୪ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜେନେରାଲ ସିଂହ ହେଉଛନ୍ତି ଜଣେ। ସେ ୟୁକ୍ରେନ୍‌ର ପଡ଼ୋଶୀ ଦେଶରେ ସ୍ୱତନ୍ତ୍ର ରାଷ୍ଟ୍ରଦୂତ ରୂପେ ରହି ପୂରା ମାମଲା ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟ ଯେ ରୁଷ ସେନା ଏବେ ୟୁକ୍ରେନ୍‌ରେ ଦମନଲୀଳା ଚଳାଇଛି। ରୁଷ ୟୁକ୍ରେନ୍‌ର ମୁଖ୍ୟ ପରମାଣୁ କେନ୍ଦ୍ର ଉପରେ ବି ଆକ୍ରମଣ କରିଛି। ଫଳରେ ପ୍ଲାଣ୍ଟରେ ନିଆଁ ଲାଗିଛି। ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଡିମୋତ୍ରୋ କୁଲେବା ତୁରନ୍ତ ରୁଷକୁ ଆକ୍ରମଣ ବନ୍ଦ କରିବା ଆହ୍ଵାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଜାଫୋରିଜା ପରମାଣୁ ପାୱାର ପ୍ଲାଣ୍ଟ ହେଉଛି ୟୁରୋପର ସବୁଠାରୁ ବଡ଼ ପରମାଣୁ ପାୱାର ପ୍ଲାଣ୍ଟ। ବୁଧବାର IAEA ଡିଜି ରାଫେଲ ଗ୍ରୋସି ପରମାଣୁ ରିଆକ୍ଟର ସୁରକ୍ଷା ଉପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ଦିନକ ପରେ ଆକ୍ରମଣ ଖବର ଆସିଛି।

Also Read: ୟୁକ୍ରେନର ପରମାଣୁ ପାୱାର ପ୍ଲାଣ୍ଟ ଉପରେ ରୁଷ୍‌ର ଆକ୍ରମଣ, ବଢ଼ିଲା ୧୦ ଗୁଣା ଅଧିକ ବିପଦ