ବଢି ଚାଲିଛି ଇଣ୍ଡୋନେସିଆ ଭୂମିକମ୍ପ ମୃତକଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ ୨୫୨ ମୃତ

ଇଣ୍ଡୋନେସିଆର ଜାଭାରେ ସୋମବାର ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଛି । ଭୂମିକମ୍ପରେ ଏପର୍ଯ୍ୟନ୍ତ ୨୫୨ ଜଣ ପ୍ରାଣ ହରାଇଛନ୍ତି । ଏବେବି ୩୧ ଜଣ ନିଖୋଜ ଥିବାବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ୭,୦୬୦ ଲୋକ ବାସହରା ହୋଇଛନ୍ତି। ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ ସ୍ଥାନୀୟ ସମୟ ଅପରାହ୍ନ ୧ଟା ୩୧ରେ ୫.୬ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏହାର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭାର ସିୟାଞ୍ଜୁର ଅଞ୍ଚଳରେ ଭୂ-ପୃଷ୍ଠରୁ ୧୦ କିମି ଗଭୀରତା ରହିଥିଲା।

ଏହାରି ମଧ୍ୟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ପୀଡ଼ିତ ତଥା ସେମାନଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏହା ସେ ଓ୍ବେଷ୍ଟ ପ୍ରୋଭିନ୍ସରେ ଭୂମିକମ୍ପ ସ୍ଥଳ ସିଆଞ୍ଜୁର ସହର ପରିଦର୍ଶନ କରିଛନ୍ତି। ଉଦ୍ଧାରକାରୀ ଦଳଙ୍କୁ ପ୍ରାଥମିକତା ଆଧାରରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କୁହାଯାଇଛି। ବିଲ୍ଡିଂର ଭଗ୍ନାବଶେଷରେ ଚାପି ହୋଇ ଅନେକଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ମାଟି ଧସିବା କାରଣରୁ ଗୋଟିଏ ଗାଁ ସଂପୂର୍ଣ୍ଣ ପୋତି ହୋଇଯାଇଛି।  ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ । ଭୂମିକମ୍ପ ସମୟରେ ସମସ୍ତେ ସ୍କୁଲରେ ଥିଲେ।ଭୂମିକମ୍ପରେ ୨,୨୦୦ ରୁ ଅଧିକ ଘର ନଷ୍ଟ ହୋଇଛି। ଏହାସହିତ ୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ।

ସିୟାଞ୍ଜୁର ଜିଲ୍ଲାର ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଭୂମିକମ୍ପ ଯୋଗୁ ଅନେକଗୁଡ଼ିଏ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି । ଗ୍ରେଟର ଜାକର୍ତ୍ତା ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା । ସେଠାରେ ଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକ ୩ ମିନିଟ୍ରୁ ଅଧିକ ସମୟ ଧରି ଦୋହଲିଥିଲା । ତେଣୁ ଝଟ୍କା ଅନୁଭବ କରିବା ପରେ ଲୋକମାନେ ପ୍ରାଣ ବିକଳରେ ଘରୁ ବାହାରି ଆସିଥିଲେ । ଭୂମିକମ୍ପ ପରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଅନେକଗୁଡ଼ିଏ ଘରକୁ ଖାଲି କରି ଦିଆଯାଇଛି ।

ଭୂମିକମ୍ପ ଯୋଗୁଁ ଭୂସ୍ଖଳନ ମଧ୍ୟ ହୋଇଛି। ଅନେକ ସ୍ଥାନରେ ରାସ୍ତା ଦବି ହୋଇ ପଡିଛି। ବୁଲଡୋଜର ସାହାଯ୍ୟରେ ରାସ୍ତାରେ ପଡିଥିବା ଘରର ଧ୍ୱଂସ ବିଶେଷକୁ କଢାଯାଉଛି । ଏହି ସହରର ପାହାଡ ଅଞ୍ଚଳରେ ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।

ଇଣ୍ଡୋନେସିଆ ପରେ ସୋଲୋମନ ଦ୍ବୀପରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍ଲେଲରେ ତୀବ୍ରତା ୭.୦ ରହିଛି । ଏହାପରେ ସୁନାମୀ ଚେତାବନୀ ଦିଆଯାଇଛି । ଭୂମିକମ୍ପରେ କେତେ ଜୀବନ ହାନୀ କିମ୍ବା କ୍ଷତି ବିଷୟରେ କିଛି ଖବର ମିଳିନାହିଁ । ଏହାକୁ ସୋଲୋମନ ଦ୍ବୀପରେ ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଇଛି । ଭୂକମ୍ପ ପରେ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଆଜି ସକାଳ ୭ଟା ୩୩ ମିନିଟରେ ଭୂମିକମ୍ପ ଆସିଥିଲା। ଯାହାର ୧୦ କିମି ଗଭୀରରେ ଏହାର କେନ୍ଦ୍ର ରହିଛି।