ଇଣ୍ଡୋନେସିଆରେ ଓଲଟିଲା ଡଙ୍ଗା, ୧୫ ଯାତ୍ରୀ ମୃତ; ୩୩ ଉଦ୍ଧାର
ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଛି। ଡଙ୍ଗାଟି ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳର ସୂଚନା ଅନୁସାରେ, ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସି ଯାତ୍ରା କରୁଥିଲେ।

ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଛି। ଡଙ୍ଗାଟି ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳର ସୂଚନା ଅନୁସାରେ, ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସି ଯାତ୍ରା କରୁଥିଲେ। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଡଙ୍ଗାରେ ଥିବା ଅନ୍ୟ ୩୩ ଜଣ ଯାତ୍ରୀ ରକ୍ଷା ପାଇଯାଇଛନ୍ତି।
ସୂଚନା ଅନୁସାରେ, ଡଙ୍ଗାଟି ଦକ୍ଷିଣ-ପୂର୍ବ ସୁଲାୱେସି ପ୍ରଦେଶର ଲାଣ୍ଟୋ ଗ୍ରାମରୁ ଲାଗିଲି ଗ୍ରାମକୁ ଯାତ୍ରା କରୁଥିଲା। କାଠ ଡଙ୍ଗାରେ ୨୦ ଜଣ ବସିବାର କ୍ଷମତା ଥିଲେ ମଧ୍ୟ ଏଥିରେ ମାତ୍ରାଧିକ ଲୋକ ବସି ଯାତ୍ରା କରୁଥିଲେ।
ଉଦ୍ଧାରକାରୀ ଦଳକୁ ୧୫ଟି ମୃତଦେହ ମିଳିଥିବା ବେଳେ ୬ ଜଣଙ୍କୁ ସେମାନେ ଉଦ୍ଧାର କରିଥିବା ଜଣାପଡିଛି। ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ମିଳିବା ପରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରି ଦିଆଯାଇଛି।
ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରଥମେ ଜୀବିତ ଥିବା ଲୋକଙ୍କ ବିଷୟରେ ଜଣାପଡ଼ି ନ ଥିଲା, କାରଣ, ସେମାନେ ସିଧା ଘରକୁ ଚାଲିଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ତିନୋଟି ରବର ଡଙ୍ଗା, ଦୁଇଟି ମତ୍ସ୍ୟଜୀବୀ ଡଙ୍ଗା ଏବଂ ୬ ଜଣ ଡାଇଭର ନିୟୋଜିତ ହୋଇଥିଲେ।