ମହିଳାଙ୍କ ଅଧିକାର ପାଇଁ ଲଢୁଥିବା ଓକିଲଙ୍କୁ ୩୮ ବର୍ଷ ଜେଲ୍ ଏବଂ ୧୪୮ ଥର ଚାବୁକ୍ ମାଡ ଦଣ୍ଡାଦେଶ

ମାର୍ଚ୍ଚ ୮ । ସାରା ବିଶ୍ବ ପାଳନ କରିଥିଲା ମହିଳା ଦିବସ । ମହିଳାଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷାକୁ ନେଇ ଗୋଟିଏ ପଟେ ବିଭିନ୍ନ ସ୍ଥାନରେ ସେମିନାର୍ ଚାଲୁଥିବା ବେଳେ ଅନ୍ୟପଟେ ଇରାନରେ ହିଜାବକୁ ବିରୋଧ କରୁଥିବା ଏବଂ ମହିଳାଙ୍କ ପାଇଁ ଲଢୁଥିବା ପ୍ରତିଷ୍ଠିତ ଓକିଲ ନସରିନ ସୋତୋଉଦେଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ପହଂଚାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଉ ଏହି ମାମଲାରେ ନସରିନ ଙ୍କୁ ଲମ୍ବା ଦଣ୍ଡାଦେଶ ହୋଇଛି ।

ମାନବାଧିକାର କର୍ମକର୍ତ୍ତା ନସରିନଙ୍କୁ ୩୮ ବର୍ଷ ଜେଲ୍ ସହ ୧୪୮ ଥର ଚାବୁକ୍ ମାଡ ଦଣ୍ଡାଦେଶ ହୋଇଛି । ଏହା ସହ ଯଦି ଜେଲରେ ରହିବା ସମୟରେ ନସରିନଙ୍କ ବ୍ୟବହାର ଠିକ୍ ନରହେ ତେବେ ଅତିରିକ୍ତ ୧୦ ବର୍ଷ ଜେଲ୍ ଦଣ୍ଡର ସାମ୍ନା କରିବାକୁ ପଡିବ । କେବଳ ସେତିକି ନୁହେଁ ନସରିନଙ୍କ ସ୍ବାମୀଙ୍କୁ ମଧ୍ୟ ୬ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଇରାନର ରାଷ୍ଟ୍ରୀୟ ସୁରକ୍ଷାକୁ ବିପଦ ପହଂଚାଇବା ସହ ସର୍ବୋଚ୍ଚ ନେତାଙ୍କ ଅପମାନ କରିବା ଅଭିଯୋଗରେ ନସରିନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

Nasrin Sotoudehସୂଚନାଯୋଗ୍ୟ, ମାନବଧିକାର ରକ୍ଷକ ଏବଂ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ପ୍ରସିଦ୍ଧ ନସରିନ୍ । ସେ ଦେଶରେ ବୁର୍ଖାକୁ ଅନିବାର୍ଯ୍ୟ କରିବା ବିରୋଧରେ ଆନ୍ଦୋଳନ ମଧ୍ୟ କରି ସାରିଛନ୍ତି । ନସରିନଙ୍କ ସ୍ବାମୀ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ନସରିନଙ୍କୁ ୩୩ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଛି । କିନ୍ତୁ ସେ ପୂର୍ବରୁ ୫ ବର୍ଷର ଜେଲ ଭୋଗୁଛନ୍ତି । ତେଣୁ ଏବେ ଏହି ଦଣ୍ଡ ୩୮ ବର୍ଷର ହୋଇଛି ।

୫୫ ବର୍ଷୀୟା ନସରିନଙ୍କୁ ଏହା ପୂର୍ବରୁ ଅନେକ ଥର ଗିରଫ କରାଯାଇଥିଲା । ୨୦୧୦ରେ ବିଭିନ୍ନ ଅଭିଯୋଗରେ ତାଙ୍କୁ ୧୧ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଯାଇଥିଲା । ନସରିନଙ୍କୁ ୨୦୧୨ରେ ମାନବଧିକାର କ୍ଷେତ୍ରରେ ୟୁରୋପର ସର୍ବଶ୍ରେଷ୍ଠ ପ୍ରତିଷ୍ଠିତ ପୁରସ୍କାର ସଖାରୋବରେ ମଧ୍ୟ ସମ୍ମାନିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.