କ’ଣ ଓମିକ୍ରନ୍ ଭାରିଆଣ୍ଟ ମହାମାରୀକୁ ‘ଏନଡେମିକ’ ଆଡ଼କୁ ନେଇ ଯାଉଛି କି? ଜାଣନ୍ତୁ କ’ଣ କହୁଛି ୟୁରୋପୀୟ ମେଡିସିନ ଏଜେନ୍ସି

ସମଗ୍ର ବିଶ୍ୱରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟରେ ୟୁରୋପୀୟ ମେଡିସିନ ଏଜେନ୍ସି (EMA) ସାଧାରଣ ଜନତାଙ୍କୁ ଚତୁର୍ଥ ଟିକା ଦେବା ବିଷୟରେ ସନ୍ଦେହ ପ୍ରକାଶ କରି କହିଛି କି, ବାରମ୍ବାର ବୁଷ୍ଟର ଡୋଜ ଦେବା ଏକ ସ୍ଥାୟୀ ରଣନୀତି ନୁହେଁ। ୟୁରୋପୀୟ ମେଡିସିନ୍ ଏଜେନ୍ସି କହିଛି ଯେ ପ୍ରାଥମିକ ଅଧ୍ୟୟନରୁ ଜଣାପଡିଛି କି, କୋଭିଡ ୧୯ ଟିକା ହସ୍ପିଟାଲରେ ଭର୍ତ୍ତି ହେବା ଏବଂ କରୋନା ଭାଇରସର ନୂଆ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ଗମ୍ଭୀର ରୋଗ ବିରୋଧରେ ବେଶ ପ୍ରଭାବଶାଳୀ ରହିଛି। ଏଜେନ୍ସି ମୁଖ୍ୟ ମାର୍କୋ କେଭଲେରୀ କହିଛନ୍ତି, ଏହା କେହି ବି ଜାଣନ୍ତି ନାହିଁ କି ଆମେ କେବେ କୋଭିଡରୁ ମୁକ୍ତି ପାଇବା, କିନ୍ତୁ ଏହା ନିଶ୍ଚିତ ଭାବରେ ଶେଷ ହେବ।
ବୁଷ୍ଟର ଡୋଜ୍ ସ୍ଥାୟୀ ରଣନୀତି ନୁହେଁ: EMA
ୟୁରୋପୀୟ ମେଡିସିନ୍ ଏଜେନ୍ସି (EMA) ମୁଖ୍ୟ ମାର୍କୋ କେଭଲେରୀ ଗଣମାଧ୍ୟମକୁ କହିଛନ୍ତି କି, ବୁଷ୍ଟର ଡୋଜ ନେବା ଆକସ୍ମିକ ରୂପରେ କରୋନାକୁ ଏଡାଇବା ପାଇଁ ରଣନୀତି ଭାବରେ ପ୍ରଭାବଶାଳୀ ହୋଇପାରେ, କିନ୍ତୁ ଛୋଟ ଅନ୍ତରାଳରେ ବାରମ୍ବାର ଟିକା ନେବା ଏକ ସ୍ଥାୟୀ ସମାଧାନ ନୁହେଁ। ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିଥିବା ଓମିକ୍ରନ୍ ଭାରିଆଣ୍ଟ ଏହି କରୋନା ମହାମାରୀକୁ ‘ଏନଡେମିକ୍’ ଆଡକୁ ନେଇ ଯାଉଛି। ଟିକାକରଣ ସହିତ ଓମିକ୍ରନ୍ ଭାରିଆଣ୍ଟ ଯୋଗୁ ମଧ୍ୟ ଲୋକଙ୍କଠାରେ ପ୍ରାକୃତିକ ପ୍ରତିରକ୍ଷା ସୃଷ୍ଟି ହେଉଛି। କେଭଲେରୀ ଆହୁରି ମଧ୍ୟ କହିଛନ୍ତି ଯେ ଟିକାକରଣ ଉପରେ କରୋନାର ନୂଆ ଭାରିଆଣ୍ଟର ପ୍ରଭାବକୁ ବୁଝିବା ପାଇଁ ଅଧିକ ତଥ୍ୟ ଆବଶ୍ୟକ, ଯାହା ପରେ କିଛି କୁହାଯାଇ ପାରିବ।
ଏନଡେମିକ୍ କ’ଣ?
ଏନଡେମିକ୍ ସାଧାରଣ ଏବଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେଖା ଦେଉଥିବା ନିୟମିତ ରୋଗକୁ କୁହାଯାଇଥାଏ। ଏନଡେମିକ୍ ଅବସ୍ଥାରେ କେତେକ ଭାଇରସ ଆମ ଚାରିପାଖରେ ପ୍ରାକୃତିକ ଭାବରେ ମହଜୁଦ ଥାଆନ୍ତି, କିନ୍ତୁ ଆମ ପ୍ରତିରକ୍ଷା ପ୍ରଣାଳୀ ଏତେ ଶକ୍ତିଶାଳୀ ଥାଏ ଯେ ଭାଇରସର କୌଣସି ବିପଦ ଆଶଙ୍କା ନ ଥାଏ। ଅନେକ ରୋଗର ସଂକ୍ରମଣ ଆଜିକାଲି ଲୋକଙ୍କ ପାଇଁ ସାଧାରଣ ହୋଇ ଗଲାଣି। ବର୍ତ୍ତମାନ EMA ଏହା ମଧ୍ୟ କହିଛି ଯେ ଓମିକ୍ରନ୍ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ବର୍ତ୍ତମାନର କରୋନା ଟିକାଗୁଡ଼ିକରେ କୌଣସି ପରିବର୍ତ୍ତନ ଆବଶ୍ୟକ କି ନାହିଁ, ଏ ବିଷୟରେ ଏଜେନ୍ସି ଟିକା ଉତ୍ପାଦନକାରୀଙ୍କ ସହ ଆଲୋଚନା କରୁଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ବାରମ୍ବାର କୋଭିଡ ଟିକାକରଣ କରେଇବା ଠିକ୍ ରଣନୀତି ନୁହେଁ।