ପରିବାରର ୧୩ ସଦସ୍ୟଙ୍କ ସମେତ ନିଜକୁ ଉଡାଇ ଦେଲା ISIS ମୁଖ୍ୟ

ନୂଆଦିଲ୍ଳୀ : ଆମେରିକା ସୈନ୍ୟଙ୍କ ହାତରେ ମୃତ୍ୟୁ ନିଶ୍ଚିତ ବୋଲି ଜାଣିବା ପରେ ପରିବାର ସମେତ ନିଜକୁ ଉଡ଼େଇ ଦେଲା ISIS ମୁଖ୍ୟ ଅବୁ ଇବ୍ରାହିମ ଅଲ୍ ହମେସୀ ଅଲ୍ କ୍ୱରେସୀ। ଆମେରିକା ସେନାର ବିଶେଷ ସୈନ୍ୟ ଦଳ ସିରିଆରେ ଆଇଏସଆଇଏସ ମୁଖ୍ୟକୁ ନିପାତ କରିବାକୁ ଅପରେସନ ଆରମ୍ଭ କରିଥିଲା।

ନିଜର ଆସନ୍ନ ମୃତ୍ୟୁ ଜାଣିବା ପରେ ଶକ୍ତିଶାଳୀ ବୋମାରେ ନିଜକୁ ଉଡ଼େଇ ଦେଇଛି ଅବୁ ଇବ୍ରାହିମ। ଏଥିରେ ତା ପରିବାରର ୧୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଅବୁ ବକର ଅଲ୍ ବାଗଦାଦୀ ପରେ ଆଇଏସଆଇଏସ ମୁଖ୍ୟ ଭାବେ ୨୦୧୯ରେ ଦାୟିତ୍ୱ ନେଇଥିଲା ଅବୁ ଇବ୍ରାହିମ। ସିରିଆର ଆତ୍ମେହ ଅଞ୍ଚଳର ଏକ ନିକାଞ୍ଚଳ ଜାଗାରେ ଥିବା ୩ମହଲା କୋଠାରେ ରହି ଆଇଏସଆଇଏସକୁ ପରିଚାଳନା କରୁଥିଲା।

ତାକୁ ହତ୍ୟା କରିବାକୁ ଡିସେମ୍ବର ମାସରୁ ଆମେରିକା ସେନା ଇନକ୍ରେଡିବଲ କଂପ୍ଲେକ୍ସ ନାମରେ ଅପରେସନ ଆରମ୍ଭ କରିଥିଲା। ଅବୁ ଇବ୍ରାହିମର ମୃତ୍ୟୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି। ଆତଙ୍କବାଦୀ ହେବା ପୂର୍ବରୁ ଅବୁ ଇବ୍ରାହିମ ଇରାକୀ ସେନାର ଜଣେ ପୂର୍ବତନ ଅଫିସର ଭାବେ କାର୍ଯ୍ୟ କରୁଥିଲା। ତାର ଦୁର୍ଦ୍ଦଷ ଓ ନୃଶଂସ ଆଭିମୁଖ୍ୟ ପାଇଁ ଡେଷ୍ଟ୍ରୟର ଭାବେ ପରିଚିତ ଥିଲା ଆଇଏସଆଇଏସ ମୁଖ୍ୟ।

ଆମେରିକା ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ସହ ତା ଉପରେ ୧୦ ମିଲିୟନ ଡଲାର ପୁରସ୍କାର ରାଶି ରଖିଥିଲା। ସିରିଆରେ ଆମେରିକାର ସେନାର ଅପରେସନ ପରେ ବିଶ୍ୱର ସମସ୍ତ ଆତଙ୍କବାଦୀ ସଂଗଠନକୁ ବାଇଡେନ କଡ଼ା ଚେତାବନୀ ଦେଇଛନ୍ତି। ବିଶ୍ୱର ଯେଉଁଠି ଲୁଚି ରହିଲେ ବି ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।