Below header

ଆସନ୍ତା ୩୧ରୁ ଲାଗୁ ହେବ ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ, ନୂଆ ଲେଫଟନାଣ୍ଟ ଗଭର୍ଣ୍ଣର ଚର୍ଚ୍ଚାରେ ପ୍ରକାଶ ମିଶ୍ରଙ୍କ ନାଁ

ଅକ୍ଟୋବର ୩୧ରୁ ଲାଗୁ ହେବ ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ। ଏହା ପୂର୍ବରୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦାଖରେ କିଏ ହେବେ ଉପରାଜ୍ୟପାଳ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଆ ଆଇପିଏସ ଅଫିସର ପ୍ରକାଶ ମିଶ୍ରଙ୍କ ନାଁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଛନ୍ତି। ସେପଟେ ଜମ୍ମୁ କଶ୍ମୀରର ବର୍ତ୍ତମାନର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଓ ପୂର୍ବତନ ଆଇପିଏସ କେ. ବିଜୟ କୁମାରଙ୍କ ନାଁକୁ ବି ନେଇ ଚର୍ଚ୍ଚା ଚାଲିଛି।

କିଏ ହେବେ ଜମ୍ମୁ କଶ୍ମୀର ଓ ଲଦାଖର ନୂଆ ଲେଫ୍‌ଟନାଣ୍ଟ ଗଭର୍ଣ୍ଣର? ଚର୍ଚ୍ଚାରେ ପୂର୍ବତନ ଓଡ଼ିଆ ଆଇପିଏସ୍‌ ଅଫିସର ପ୍ରକାଶ ମିଶ୍ରଙ୍କ ନାଁ। ସୋସିଆଲ୍‌ ମିଡିଆରେ ତାଙ୍କ ନାଁକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ପ୍ରକାଶଙ୍କ ଭାଇ ତଥା ପୂର୍ବତନ କେନ୍ଦ୍ର କୋଇଲା ସଚିବ ପ୍ରସନ୍ନ ମିଶ୍ର ପ୍ରକାଶଙ୍କ ଏକ ଫଟୋ ଟ୍ଵିଟ କରିବା ପରେ ଚର୍ଚ୍ଚା ଜୋର ଧରିଛି । ସେହି ଫଟୋକୁ ଅନେକ ରି- ଟ୍ଵିଟ କରି ପ୍ରକାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ କଳିଙ୍ଗ ଟିଭିକୁ ପ୍ରତିକ୍ରିୟାରେ ଏଭଳି ଖବରକୁ ଖଣ୍ଡନ କରିଛନ୍ତି ପ୍ରକାଶ ମିଶ୍ର। କହିଛନ୍ତି, ଏହା ସୋସିଆଲ ମିଡିଆରେ ଏକ ଚର୍ଚ୍ଚା ମାତ୍ର।୧୯୭୭ ବ୍ୟାଚ୍‌ର ଆଇପିଏସ ଅଫିସର ପ୍ରକାଶ ମିଶ୍ର ଓଡ଼ିଶା ଡିଜିପି ଓ ପରେ କେନ୍ଦ୍ରରେ ସିଆରପିଏଫ ଡିଜିି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ପରେ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସେ ରାଜ୍ୟପାଳ କ୍ରିଷ୍ଣକାନ୍ତ ପଲ୍‌ଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ।

ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। ଅକ୍ଟୋବର ୩୧ ତାରିଖରୁ କାର୍ଯ୍ୟକାରୀ ହେବ ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ୍‌। ଏହା ପୂର୍ବରୁ ଜମ୍ମୁ କଶ୍ମୀର ଓ ଲଦାଖର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିଯୁକ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରେସରେ ଆଗରେ ଅଛନ୍ତି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ୨୦୧୮ ଅଗଷ୍ଟ ୧୩ତାରିଖରୁ ଜମ୍ମୁ କଶ୍ମୀରର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି ସତ୍ୟପାଲ ମଲ୍ଲିକ। ଜମ୍ମୁ କଶ୍ମୀରର ସ୍ଥିତି ସହ ସେ ଅବଗତ ଥିବାରୁ ତାଙ୍କୁ ଲେପ୍‌ଟନାଣ୍ଟ ଗଭର୍ଣ୍ଣର ପାଇଁ ସେ ପ୍ରମୁଖ ଦାବିଦାର। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟର ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଓ ପୂର୍ବତନ ପ୍ରଶାସକ ତଥା ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ନାଁକୁ ବି ନେଇ ଚର୍ଚ୍ଚା ଚାଲିଛି। ନୃପେନ୍ଦ୍ର ମିଶ୍ର ମୋଦି ସରକାରର ବିଶ୍ୱସ୍ତ ଥିବା ବେଳେ ପୂର୍ବରୁ କେନ୍ଦ୍ରରେ ଟ୍ରାଇ ଓ ସାର ବିଭାଗ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି। ସେହିପରି ୧୯୭୫ ବ୍ୟାଚର ଆଇପିଏସ କେ ବିଜୟ କୁମାର ବର୍ତ୍ତମାନ ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ଏବେ କେନ୍ଦ୍ର ସରକାର କାହା ନାଁକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବେ ତା ଉପରେ ରହିଛି ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.