ଝାଡ଼ଖଣ୍ଡ ନିର୍ବାଚନ : ବିଜେପି ପାଇଁ କ୍ଷମତା ବଜାୟ ରଖିବା କଷ୍ଟକର ହେବ

ରାଞ୍ଚି : ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଚିନ୍ତା ପଶିଛି ବିଜେପି ମୁଣ୍ଡରେ । ମହାରାଷ୍ଟ୍ର ଡ୍ରାମା ପରେ ଏବେ ଝାଡ଼ଖଣ୍ଡରେ କ୍ଷମତା ବଜାୟ ରଖିବା ଲାଗି ଭାରତୀୟ ଜନତା ପାର୍ଟିକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । କାରଣ ଏଠି ମେଣ୍ଟ ଭିତରେ ଫାଟ । ଏନ୍‌ଡିଏ ମେଣ୍ଟରୁ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ (ଆଜସୁ) ଓହରି ଯାଇଛି । ସେହିପରି ଜନତା ଦଳ ୟୁନାଇଟେଡ୍‌ ଏବଂ ଲୋକ ଜନଶକ୍ତି ପାର୍ଟି ସ୍ୱାଧୀନ ଭାବେ ଲଢୁଛନ୍ତି ।
ଅବଶ୍ୟ ବିଜେପି ଓ ଆଜସୁ ମଧ୍ୟରେ ଅଘୋଷିତ ବୁଝାମଣା ରହିଛି । ସେଥିଲାଗି ସିଲ୍ଲି ବିଧାନସଭା ଆସନରେ ଆଜସୁର ମୁଖ୍ୟ ସୁଦେଶ ମାହାତୋ ପ୍ରାର୍ଥୀ ହୋଇଥିବା ବେଳେ ଏଠାରେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନାହିଁ । ସେହିପରି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ଇଷ୍ଟ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଆଜସୁ ଏଠାରେ କାହାକୁ ପ୍ରାର୍ଥୀ କରି ନାହିଁ । ଏହି ଆସନରୁ ପୂର୍ବତନ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସରୟୁ ରାଇ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ସରୟୁ ଏହି ଆସନରୁ ବିଜେପି ପ୍ରାର୍ଥୀ ହେବାକୁ ଚାହୁଁଥିଲେ ।

JHARKHAND-2

ହେଲେ ତାଲିକାରେ ତାଙ୍କ ନାଁ ନଦେଖି ତୁରନ୍ତ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି । ଯାହା ବିଜେପି ବା ମୁଖ୍ୟମନ୍ତ୍ରୀ ରଘୁବରଙ୍କୁ ଅସୁବିଧାରେ ପକାଇ ପାରେ । ଯଦିଓ ସରୟୁ ରାଇ ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ୍‌ର ସଭାପତି ନୀତିଶ କୁମାରଙ୍କର ଭଲ ବନ୍ଧୁ । ତଥାପି ସେ ରାଇଙ୍କ ପାଇଁ ପ୍ରଚାର କରିବାକୁ ମନା କରି ଦେଇଛନ୍ତି । ରଘୁବର ସରକାରରେ ଥିଲେ ମଧ୍ୟ ରାଇ ଝାଡ଼ଖଣ୍ଡରେ ହୋଇଥିବା ଦୁର୍ନୀତି ସବୁକୁ ଏବେ ପ୍ରସଙ୍ଗ କରି ଭୋଟ୍‌ ଭିକ୍ଷା କରୁଛନ୍ତି ।
ସେପଟେ ଜୟନତା ଦଳ ୟୁନାଇଟେଡ୍‌ ମୋଟ୍‌ ୮୧ ବିଧାନସଭା ଆସନରୁ ୨୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କେବଳ ଜାତୀୟ ସ୍ତରରେ ଏବଂ ବିହାରରେ ବିଜେପି ସହ ଜେଡିୟୁର ମେଣ୍ଟ ରହିଛି । ତେଣୁ ଝାଡ଼ଖଣ୍ଡରେ ଦଳ ସ୍ୱାଧୀନ ଭାବେ ଲଢୁଛି ।
ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ । ମୋଟ୍‌ ୮୧ଟି ଆସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ । ଗତକାଲି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.