ଦିଲ୍ଲୀ ମଦ ଦୁର୍ନୀତି: କବିତାଙ୍କୁ କୋର୍ଟରୁ ବଡ଼ ଝଟ୍‌କା, CBIକୁ ମିଳିଲା ରିମାଣ୍ଡ; ୩ ଦିନ କରିବ ପଚରାଉଚରା

କେ. କବିତାଙ୍କୁ ପୁଣି କୋର୍ଟରୁ ବଡ଼ ଝଟ୍‌କା ଲାଗିଛି । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆର୍‌ଏସ୍‌ ନେତ୍ରୀ କବିତାଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ୩ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଛନ୍ତି ।

କେ. କବିତାଙ୍କୁ ପୁଣି କୋର୍ଟରୁ ବଡ଼ ଝଟ୍‌କା ଲାଗିଛି । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆର୍‌ଏସ୍‌ ନେତ୍ରୀ କବିତାଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ୩ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଛନ୍ତି । ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କବିତା ପୂର୍ବରୁ ହିଁ ତିହାର ଜେଲରେ ଅଛନ୍ତି । ସିବିଆଇର କହିବା ହେଲା, ଏହି ସମଗ୍ର ଷଡଯନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି କବିତା । ସିବିଆଇ ମାମଲାର ତନ୍ନତନ୍ନ ଯାଞ୍ଚ କରିବା ପାଇଁ କୋର୍ଟଙ୍କଠାରୁ ୫ ଦିନିଆ ହେପାଜତ ଦାବି କରିଥିଲା ।

କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ ବେଳେ ସିବିଆଇ କହିଛି ଯେ ଦିଲ୍ଲୀ ମଦ ଦୁର୍ନୀତି ଅଧୀନରେ ଆମ୍ ଆଦମୀ ପାର୍ଟି (ଆପ୍‌)କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେବାରେ କେ. କବିତାଙ୍କର ଏକ ପ୍ରମୁଖ ଭୂମିକା ରହିଛି । ଜଣେ ବଡ଼ ବ୍ୟବସାୟୀ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ଏବଂ କେଜ୍ରିୱାଲ ତାଙ୍କୁ ମଦ ନୀତି ମାଧ୍ୟମରେ ସମର୍ଥନର ଆଦେଶ ଦେଇଥିଲେ ।

ସିବିଆଇ କହିଛି ଯେ କେ. କବିତା ଶରତ ଚନ୍ଦ୍ର ରେଡ୍ଡୀଙ୍କୁ ମଦ ନୀତି ଉପରେ ଆଲୋଚନା ପାଇଁ ଆଗକୁ ଆଣିଥିଲେ । କବିତାଙ୍କ ହେପାଜତ ପାଇବା ପାଇଁ ସିବିଆଇ ନିଜ ଆବେଦନରେ ଉଲ୍ଲେଖ କରିଛି ଯେ ହୋଟେଲ ତାଜରେ ଅନେକ ଅଭିଯୁକ୍ତଙ୍କ ସହ ମଦ ନୀତିକୁ ନେଇ ବୈଠକ ହୋଇଥିଲା । ୨୦୨୧ ମାର୍ଚ୍ଚରୁ ମେ’ ଭିତରେ ଦିଲ୍ଲୀ ମଦ ନୀତି ପ୍ରସ୍ତୁତ ଚାଲିଥିଲା ।

ସିବିଆଇ ଦାବି କରିଛି ଯେ କେ. କବିତା ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କ ସହ ଚୁକ୍ତି କରିଥିଲେ । କବିତା ତାଙ୍କଠାରୁ ୧୦୦ କୋଟି ଟଙ୍କା ଅଗ୍ରୀମ ଧନରାଶିର ବ୍ୟବସ୍ଥା କରିବାକୁ କହିଥିଲେ ।

ସୂଚନାଥାଉ କି, ସିବିଆଇ କେ. କବିତାଙ୍କୁ ଗୁରୁବାର ଗିରଫ କରିଥିଲା । ଶନିବାର ତାଙ୍କୁ ଜେଲରେ ପଚରାଉଚରା କରିଥିଲା । ଏହିପରି ଇଡି ମାର୍ଚ୍ଚ ୧୫ରେ କବିତାଙ୍କୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.