ମାଘ ପୂର୍ଣ୍ଣିମାରେ ଅଧା ରହିଗଲା ଗଙ୍ଗା ବୁଡ଼: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ମୁଣ୍ଡନ ହେବାକୁ ଯାଉଥିବା ୬ ମାସର ଶିଶୁ ନିଖୋଜ

ଆଜି ପୂର୍ଣ୍ଣିମା ଅବସରରେ ଗଙ୍ଗାନଦୀରେ ପବିତ୍ର ବୁଡ଼ ପକାଇବା ପାଇଁ ଯାଉଥିବା ପ୍ରାୟ ୨୪ଜଣ ଶ୍ରଦ୍ଧାଳୁଙ୍କର ଅକାଳ ବିୟୋଗ ଘଟିଛି । ସତରେ କେତେ ଅଭାବୀୟ ଏ ଘଟଣା । ଭାବିଲା ବେଳକୁ ବି ଛାତି ଥରି ଉଠୁଛି ।

ଉତ୍ତରପ୍ରଦେଶ: ପବିତ୍ର ପୂର୍ଣ୍ଣିମାରେ ମାଡି ଆସିଲା ଅମାବାସ୍ୟାର କଳାଅନ୍ଧାର । ଦେଖୁ ଦେଖୁ ଅନ୍ଧକାର ଖେଳିଗଲା ଆଖି ଆଗରେ । କଣ ଏମିତି ବି ଆସେ ମୃତ୍ୟୁ । ଖୁସିର ମାହେଲ ଭିତରେ ଏମିତି ମାଡି ଆସିଲା ଦୁଃଖର କଳା ବାଦଲ କିଏ କେବେ ବି କଳ୍ପନାରେ ସୁଦ୍ଧା ଭାବିନଥିଲେ ।

ଆଜି ପୂର୍ଣ୍ଣିମା ଅବସରରେ ଗଙ୍ଗାନଦୀରେ ପବିତ୍ର ବୁଡ଼ ପକାଇବା ପାଇଁ ଯାଉଥିବା ପ୍ରାୟ ୨୪ଜଣ ଶ୍ରଦ୍ଧାଳୁଙ୍କର ଅକାଳ ବିୟୋଗ ଘଟିଛି । ସତରେ କେତେ ଅଭାବୀୟ ଏ ଘଟଣା । ଭାବିଲା ବେଳକୁ ବି ଛାତି ଥରି ଉଠୁଛି । ଯାହା ସୂଚନା ମିଳିଛି ନିୟନ୍ତ୍ରଣ ହରାଇ ଟ୍ରାକ୍ଟରଟି ଓଲଟିଯିବା ଫଳରେ ଏହି ୨୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ କାଶଗଞ୍ଜ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ମିଳିଥିବା ସୂଚନା ମୁତାବକ, ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଗଙ୍ଗାରେ ବୁଡ଼ ପକାଇବାକୁ ଯାଉଥିଲେ କିଛି ଗାଁ ଲୋକ । ସେହି ସମୟରେ ଏକ ଟ୍ରାକ୍ଟରଟି ଏକ ପୋଖରୀ ଭିତରକୁ ଖସି ପଡ଼ିଥିଲା । ଗ୍ରାମର ଅଧିକାଂଶ ମହିଳା ଓ ପିଲା ଏହି ଟ୍ରାକ୍ଟର୍‌-ଡାଲାରେ ବସିଥିଲେ । ଯାହାଫଳରେ ସଭିଏଁ ପୋଖରୀ ଭିତରେ ପଡିଯାଇଥିଲେ । ତେବେ ଦୁଃଖର କଥା ଏହି ଦୁର୍ଘଟଣାରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକଙ୍କ ଭିତରେ ଅନେକ ଶିଶୁ ଓ ମହିଳା ରହିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ତେବେ ଏହି ଦୁର୍ଘଟଣାରେ ଏକ ୬ ମାସର ଶିଶୁ ଏଯାଏ ନିଖୋଜ ରହିଛି । ଯାହାର କେଶ ପକାଇବା ପାଇଁ ପରିବାର ଲୋକେ ତାକୁ ନେଇ ଯାଉଥିଲେ ।ତାର ଏଯାଏ କିଛି ପତ୍ତା ମିଳିନାହିଁ ।

ତେବେ ଗୋଟିଏ ଦୁର୍ଘଟଣାକୁ ଏଡ଼ାଇବାକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଟ୍ରାକ୍ଟରଟି । ଏକ କାର୍ ସହିତ ଧକ୍କାକୁ ଏଡ଼ାଇବାକୁ ଉଦ୍ୟମ ବେଳେ ନିୟନ୍ତ୍ରଣ ହରାଇଥିଲେ ଟ୍ରାକ୍ଟର ଡ୍ରାଇଭର । ଯାହାଫଳରେ ଟ୍ରାକ୍ଟରଟି ପୋଖରୀ ଭିତରକୁ ଖସି ପଡ଼ିଥିଲା । ପୋଖରୀରେ କାଦୁଅ ମିଶା ପାଣି ଥିବାରୁ ଲୋକଙ୍କୁ ତତକ୍ଷଣାତ ଉଦ୍ଧାର କରାଯାଇ ପାରିନଥିଲା । ଏହି ଘଟଣା ସକାଳ ପ୍ରାୟ ୧୦ଟା ବେଳେ କାସଗଞ୍ଜ ପଟିୟାଲୀ ଦରିୟାଓଗଞ୍ଜ ରାସ୍ତାରେ ଘଟିଥିଲା ।

ସେପଟେ ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଆଖପାଖର ଗାଁ ଲୋକେ ମଧ୍ୟ ଉଦ୍ଧାର କାମରେ ସହଯୋଗ କରୁଛନ୍ତି । ଉଦ୍ଧାର କରାଯାଇଥିବା କିଛି ଶ୍ରଦ୍ଧାଳୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଟ୍ରାକ୍ଟର ଡାଲାରେ ୫୦ରୁ ଅଧିକ ଶ୍ରଦ୍ଧାଳୁ ବସିଥିଲେ । ସମସ୍ତେ ଏଟା ଜିଲ୍ଲାର କହା ଗାଁର ବାସିନ୍ଦା ବୋଲି ସୂଚନା ମିଳୁଛି । ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଯାଉଥିବା ବେଳେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ ।

 

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.