ବାପାଙ୍କ ଜୟନ୍ତୀରେ ବି କଠୋର ହେଲେ କିମ୍‌ ଜୋଙ୍ଗ୍‌ ଉନ୍‌! ହଜାର ହଜାର ଲୋକଙ୍କୁ -୧୫ ଡିଗ୍ରୀରେ ଛିଡ଼ା କରେଇଲେ; ବରଫ ପାଣିରେ କଳାକାରଙ୍କୁ ନଚାଇଲେ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସେ ନିଜ ପିତା କିମ ଜୋଙ୍ଗ ଇଲଙ୍କ ଜୟନ୍ତୀରେ ହଜାର ହଜାର ଲୋକଙ୍କୁ ହାଡ଼ଭଙ୍ଗା ଥଣ୍ଡାରେ ଛିଡ଼ା କରାଇ ରଖିଥିଲେ। ୨୦୧୧ ମସିହାରେ କିମ୍‌ ଜୋଙ୍ଗ୍‌ ଉନଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ତେବେ ପ୍ରବଳ ଥଣ୍ଡାରେ ଛିଡ଼ା ହୋଇ ଦେଶବାସୀ ଭାଷଣ ଶୁଣିବାକୁ ବାଧ୍ୟ ହୋଇଥିଲେ। ଲୋକମାନେ -୧୫ ଡିଗ୍ରୀ ସେଣ୍ଟିଗ୍ରେଡରେ ଅଧ ଘଣ୍ଟା କାଳ ବିନା ଗ୍ଲୋଭସ୍ ଏବଂ ଟୋପିରେ ନିଜ ନେତାଙ୍କ ଭାଷଣ ଶୁଣି ଚାଲିଥିଲେ।

ନିକଟରେ ଏକ ଖବର ସାମ୍ନାକୁ ଆସିଥିଲା ଯେ କିମ ଜୋଙ୍ଗ ଉନ ପିତାଙ୍କ ଜୟନ୍ତୀ ପର୍ଯ୍ୟନ୍ତ କମ୍‌ଜୋଙ୍ଗିଲିୟା ବେଗୋନିୟା ଫୁଲ ନ ଫୁଟିବାରୁ କ୍ରୋଧିତ ହୋଇ ଯାଇଥିଲେ, ଯାହାଫଳରେ ସେ ମାଳିମାନଙ୍କୁ ଲେବର୍‌ କ୍ୟାମ୍ପ୍‌ ପଠାଇ ଦେଇଥିଲେ। ଉତ୍ତର କୋରିଆର ସାମଜିୟନ ସହରରେ କିମ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲଙ୍କ ୮୦ତମ ଜୟନ୍ତୀ ଅବସରରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦିନ କିମ୍‌ ଜୋଙ୍ଗ ଇଲଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ହଜାର ହଜାର ଲୋକ ଛିଡ଼ା ହୋଇଥିଲେ ଏବଂ ସମସ୍ତେ ନିଜ ନେତାଙ୍କ ଦ୍ୱାରା ତାଙ୍କ ପିତାଙ୍କ ପ୍ରଶଂସାରେ ପଢ଼ା ଯାଇଥିବା ବାଲାଡ୍‌ସ ଶୁଣିଥିଲେ। କେବଳ ଏତିକି ନୁହେଁ, ଅନେକ କଳାକାର ମଧ୍ୟ ପ୍ରଚଣ୍ଡ ଶୀତରେ ଥଣ୍ଡା ପାଣି ଭିତରେ ପଶି ପରଫର୍ମାନ୍ସ ଦେଇଥିଲେ।

ସ୍ଥାନୀୟ ଖବର ମୁତାବକ, ଏହି ସମୟରେ ଯେଉଁ ଜାଗାରେ କିମ୍‌ ବସିଥିଲେ, ସେଠାରେ ବିଦ୍ୟୁତ୍‌ ତାର ଦେଖା ଯାଇଥିଲା। ବିଶେଷଜ୍ଞମାନେ କହିଛନ୍ତି କି, ଏହା ହିଟର ହୋଇ ଥାଇପାରେ। ଅର୍ଥାତ୍ କିମ ଜୋଙ୍ଗ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ, ହେଲେ ନାଗରିକ ଏବଂ କଳାକାରମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

କହି ରଖୁଛୁ, କିମ ଜୋଙ୍ଗ ଇଲଙ୍କ ମୃତ୍ୟୁ ୨୦୧୧ରେ ହୋଇଥିଲା। ଏହାପରଠାରୁ କ୍ଷମତା ସମ୍ଭାଳି ଆସିଥିବା କିମ ଜୋଙ୍ଗ ଉନ ନିଜ ପିତାଙ୍କ ସ୍ମୃତିରେ ପ୍ରତିବର୍ଷ ‘ଡେ ଅଫ୍‌ ଶାଇନିଙ୍ଗ୍‌ ଷ୍ଟାର୍‌’ କାର୍ଯ୍ୟକ୍ରମ ସାରା ଦେଶରେ ଆୟୋଜନ କରନ୍ତି। ଏହି ସମୟରେ ଫ୍ଲାଓ୍ଵାର ଶୋ’ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କିମ ଜୋଙ୍ଗ ଇଲଙ୍କ ଜୟନ୍ତୀରେ ସାରା ଦେଶରେ ଛୁଟିଦିନ ଘୋଷଣା ହୋଇଥାଏ। ଏହି ସମୟରେ ଛୋଟରୁ ଛୋଟ ଭୁଲ୍‌ ପାଇଁ ବି କିମ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଶୁଣାଇ ଥାଆନ୍ତି।