ହସ୍ପିଟାଲରୁ ମମତା ବାନାର୍ଜୀଙ୍କ ଭିଡିଓ ବାର୍ତ୍ତା ଜାରି, କହିଲେ, ‘ଲାଗିଛି ଗୁରୁତର ଆଘାତ, ତଥାପି ହ୍ଵିଲଚେୟାରରେ ବସି ପ୍ରଚାର କରିବି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲରୁ ହିଁ ନିଜ ସମର୍ଥକମାନଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି କି, କାଲିର ଆକ୍ରମଣରେ ତାଙ୍କୁ ଗୁରୁତର ଆଘାତ ଲାଗିଛି। ତାଙ୍କ ହାତ, ଗୋଡ଼ରେ ଅତିଶୟ ଯନ୍ତ୍ରଣା ହେଉଛି। କିଛିଦିନ ଭିତରେ ସେ ବାହାରକୁ ବାହାରିବେ ଏବଂ ହ୍ଵିଲ୍‌ଚେୟାରରେ ହିଁ କ୍ୟାମ୍ପେନ୍‌ କରିବେ।

ସେ ଆହୁରି କହିଛନ୍ତି, ତାଙ୍କ ମୁଣ୍ଡରେ ବି ବହୁତ ଯନ୍ତ୍ରଣା ହେଉଛି। ଗତକାଲି ଯେତେବେଳେ ସେ ଲୋକଙ୍କ ଅଭିବାଦନ ସ୍ୱୀକାର କରୁଥିଲେ, ସେତେବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସେ ସମର୍ଥକମାନଙ୍କୁ ଅପିଲ୍‌ କରି କହିଛନ୍ତି, ସମସ୍ତେ ଶାନ୍ତି ବଜାୟ ରଖ। ତାଙ୍କୁ ଆଶା ରହିଛି କି, ସେ ଖୁବ୍‌ଶୀଘ୍ର ହସ୍ପିଟାଲରୁ ବାହାରି ଆସିବେ। ତାଙ୍କ ଗୋଡ଼ରେ ସମସ୍ୟା ଥିଲେ ମଧ୍ୟ ସେ ମ୍ୟାନେଜ କରିବେ ଏବଂ ହ୍ଵିଲ୍‌ଚେୟାରରେ ବସି ପ୍ରଚାର କରିବେ।

ତେବେ କୋଲକାତାର SSKM ହସ୍ପିଟାଲ ପକ୍ଷରୁ ମମତା ବାନାର୍ଜୀଙ୍କ ସ୍ୱାସ୍ଥ୍ୟ ଜନିତ ସୂଚନା ଦିଆଯାଇଛି। ଏହା ମୁତାବକ, ମମତାଙ୍କ ବାମ ପାଦର ଗଣ୍ଠିରେ ଆଘାତ ଲାଗିଛି। ତାଙ୍କର MRI ସ୍କାନ୍‌ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। କିନ୍ତୁ ତାଙ୍କୁ ଅଧିକ ଆରାମର ଆବଶ୍ୟକତା ରହିଛି। ହସ୍ପିଟାଲରେ ୬ ଜଣିଆ ଡାକ୍ତରୀ ଟିମ୍‌ ମମତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ସୂଚନାଥାଉ କି, ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ମମତା ବାନାର୍ଜୀ ୧୦ ମାର୍ଚ୍ଚରେ ନିଜ ନାମାଙ୍କନ ଦାଖଲ କରିଥିଲେ। ସନ୍ଧ୍ୟା ସମୟରେ ସେ ନିର୍ବାଚନ ପ୍ରଚାର କରୁଥିଲେ। ସନ୍ଧ୍ୟା ପାଖାପାଖି ୬ଟା ୧୫ ବେଳେ ଏହି ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.