କ୍ରିସ୍ମାସ୍ ସେଲିବ୍ରେସନ୍ ନିଶା, ୧୫୦ କୋଟି ଟଙ୍କାର ମଦ ପିଇଗଲେ ଏହି ରାଜ୍ୟର ଲୋକ

ବର୍ଷ ସରିବାକୁ ବାକି ଅଛି ଆଉ ମାତ୍ର ଦିନ କେଇଟା। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏଣୁ ଡିସେମ୍ବର ୨୪ ଠାରୁ ଆରମ୍ଭ ହୋଇଗଲାଣି ଉତ୍ସବ। କିଏ ବର୍ଷ ଶେଷରେ ବାହାରକୁ ବୁଲିବାକୁ ଯାଉଛି ତ ଆଉ କିଏ ଘରେ ବନ୍ଧୁ ବାନ୍ଧବ, ପରିବାର ବର୍ଗଙ୍କ ସହ ସମୟ ବିତାଉଛି। ସେହିଭଳି ଆଉ କିଏ ଭୋଜି ଭାତ କରି ନବ ବର୍ଷକୁ ସ୍ୱାଗତ ଜଣାଉଛନ୍ତି। ତେବେ ଇତି ମଧ୍ୟରେ ପାର୍ଟି, ଫଙ୍କସନ୍ ଆଦି ବଢ଼ିଯାଇଛି। ଫଳରେ ମଦ ପାନ ବି ବଢ଼ିଛି।
ରିପୋର୍ଟ ମୁତାବକ, କ୍ରିସ୍ମାସ ପାଳନ ଅବସରରେ କେରଳରେ ଲୋକମାନେ ପାଖାପାଖି ୧୫୦ କୋଟି ଟଙ୍କାର ମଦ ପିଇଯାଇଛନ୍ତି। କ୍ରିସ୍ମାସ ପାଳନ ପାଇଁ ଡିସେମ୍ବର ୨୪ ଓ ୨୫ ତାରିଖରେ କେରଳରେ ୧୫୦.୩୮ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ବିଇବିସିଓ (BEBCO)/ ବେବକୋ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି।
Haha…Happens only in Kerala…
Santa Claus waiting in queue at a Liquor shop. pic.twitter.com/knBj0SSNX3— Tinu Cherian Abraham (@tinucherian) December 26, 2015
କେରଳ ଷ୍ଟେଟ୍ ବେଭରେଜ୍ କର୍ପୋରେସନ୍ ଅନୁସାରେ, କ୍ରିସ୍ମାସ୍ ପୂର୍ବ ସନ୍ଧ୍ୟା ଅର୍ଥାତ୍ ଡିସେମ୍ବର ୨୪ରେ ବେବ୍କୋର ଆଉଟ୍ଲେଟ୍ରେ ୬୫.୮୮ କୋଟି ଟଙ୍କାର ମଦ ଓ ବିୟର ବିକ୍ରି ହୋଇଛି। ସେହିପରି କେରଳ ରାଜ୍ୟ ସହକାରୀ ଉପଭୋକ୍ତା ସଂଘର ଆଉଟ୍ଲେଟ୍ ପକ୍ଷରୁ ୧୧.୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ତା’ ପରଦିନ ୬୫ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଜଣାଯାଇଛି। ଅନ୍ୟପଟେ କଞ୍ଜୁମରଫେଡ୍ ପକ୍ଷରୁ ୮ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ସୂଚନା ମିଳିଛି।
ଏକ ରିସର୍ଚ୍ଚ ମୁତାବକ, କେରଳର ୩.୩୪ କୋଟି ଜନ ସଂଖ୍ୟା ମଧ୍ୟରୁ ପାଖାପାଖି ୩୨.୯ ଲକ୍ଷ ଲୋକ ମଦ ପିଇଥାନ୍ତି। ସେମାନଙ୍କ ମଧ୍ୟରେ ୨୯.୮ ଲକ୍ଷ ପୁରୁଷ ଓ ୩.୧ ଲକ୍ଷ ମହିଳା ଅଛନ୍ତି। କେରଳରେ ପ୍ରାୟ ୫ ଲକ୍ଷ ଲୋକ ପ୍ରତିଦିନ ମଦ୍ୟପାନ କରିଥାନ୍ତି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଏଥିରୁ ୧,୦୪୩ ମହିଳାଙ୍କ ସମେତ ପ୍ରାୟ ୮୩,୮୫୧ ଲୋକ ମଦ ପିଇବାରେ ଅଭ୍ୟସ୍ତ।