Below header

ଲକ୍‌ଡାଉନ୍‌ : ଚଳଚଞ୍ଚଳ ମାୟା ନଗରୀ ମୁମ୍ବାଇରେ ଥିବା ଏହି ମଜ୍‌ଦୁରଙ୍କ ବସ୍ତି ଏବେ ନିଷ୍ପ୍ରଭ, କେତେ ଭୟାନକ ଏଠି….

ମୁମ୍ବାଇ : ଅମୀରଙ୍କ ଠାରୁ ଆରମ୍ଭ ହୋଇଥିବା ଏହି କରୋନା ମହାମାରୀ ଏବେ ଗରୀବଙ୍କ ପାଇଁ ପାଲଟିଛି ସଙ୍କଟ । କାମଖୋଜ୍‌ରେ ଗାଁରୁ ସହର ଆସିଥିବା ଏହି ଶ୍ରମିକଙ୍କ ପେଟ ଏବେ ଭୋକିଲା । ଚୁଲିରେ ଲାଗୁନି ନିଆଁ ।

ଲକ୍‌ଡାଉନ୍‌ ଏବେ ଭାଙ୍ଗି ଦେଇଛି ସେମାନଙ୍କର ଝାଟିମାଟିର ଘର । ଦାନା ମୁଠାଏ ପାଇଁ ପୁରୁଷ ପୁରୁଷ ଧରି ଏହି ବସ୍ତିରେ ଜୀବନକୁ ଜୁଝୁଥିବା ମଣିଷଟି ପୁଣି ଥରେ ଫେରିଯାଇଛି ଗାଁକୁ । ଆଉ ସେ ଫେରିବ କି ନାହିଁ ଜାଣିନି ।

mumbai-2

ବସ୍ତି ଏବେ ଖାଁ ଖାଁ । ସବୁଠି ନିରବତାର ରାଜତ୍ୱ । ଏ ହେଉଛି ମୁମ୍ବାଇ କ୍ରାନ୍ତିନଗର ନିକଟ ରାମଗଡ଼ ବସ୍ତି । ଏଠାରୁ ପ୍ରାୟ ୪୦ ପ୍ରତିଶତ ଲୋକ ଘର ଛାଡ଼ି ଗାଁକୁ ଚାଲିଯାଇଛନ୍ତି । କେହି କେହି ଏଇଠୁ ଜନ୍ମ ହୋଇ ବାର୍ଦ୍ଧକ୍ୟରେ ପହଞ୍ଚିଲେଣି ।

ଜୀବନର ଶେଷ ସମୟରେ ଭୋକର ଜ୍ୱାଳା ସହି ନପାରି ଗାଁକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ଗାଡ଼ି ଭଡ଼ା ନଥିବାରୁ ହଜାର ହଜାର କିଲୋମିଟର ଚାଲିକରି ଯିବାକୁ ପଡ଼ିଛି । ଆଉ ଯିଏ ରହି ଯାଇଛନ୍ତି ଭୋକ ଉପାସରେ ପଡ଼ି ରହିଛନ୍ତି ।

mumbai-3

ଏ ହେଉଛନ୍ତି ୭୦ ବର୍ଷ ବୟସ୍କ ଶକୁନ୍ତଳା ପାଲ୍‌ । କିଛି ବର୍ଷ ତଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଛି । ଏକାକୀ ରହୁଛନ୍ତି ଏହି ବସ୍ତିରେ । ପୂର୍ବରୁ କାହାର ସହାୟତାରେ ଦୁଇ ଓଳି ଖାଇବାକୁ ମିଳିଯାଉଥିଲା ।

ଏବେ ନିଜର ଅସହାୟତାକୁ ନେଇ ଲୁହ ଗଡ଼ାଇବା ଛଡ଼ା ଆଉ କିଛି ଉପାୟ ନାହିଁ । ସେମିତି ଆଉ ଜଣେ ହେଉଛନ୍ତି ଗୋବିନ୍ଦ । ୧୫ ବର୍ଷ ତଳେ ଗୋରଖପୁରରୁ ଆସିଥିଲେ । ପରିବାରର ୩ ପିଲାଙ୍କ ସହ ୫ ଜଣ ସଦସ୍ୟ ପେଣ୍ଟର କାମ କରି ଚଳୁଥିଲେ ।

mumbai -0

ଟିବି ହେବା ପରେ ପତ୍ନୀ ଯାହା ରୋଜଗାର କରି ଆଣୁ ଥିଲେ ପରିବାର ଚଳୁଥିଲା । ଏବେ ଲକ୍‌ଡାଉନ୍‌ ପାଇଁ କାମଧନ୍ଦା ବନ୍ଦ । ତେବେ ପରିବାର ଗାଁ ଯିବା ଏକମାତ୍ର ବିକଳ୍ପ ଥିଲେ ହେଁ ଅର୍ଥ ଅଭାବରୁ ତାହା ବି ବନ୍ଦ ।

ଏବେ ଜୀବନ କେମିତି ବିତିବ ସେ ନେଇ ଚିନ୍ତିତ । ଏଥି ପାଇଁ ପ୍ରଶାସନ ଉପରେ କିଛି ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହା ମାତ୍ର କେତୋଟି ଦୃଷ୍ଟାନ୍ତ । ମୁମ୍ବାଇରେ ଏପରି ଅନେକ ବସ୍ତି ଅଛି ଯେଉଁଠି ଏହା ଠୁ ବି ଭୟଙ୍କର ସ୍ଥିତି । ଏତିକି କୁହାଯାଇ ପାରେ ଏମାନଙ୍କୁ କେବଳ ଭଗବାନ ହିଁ ଭରସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.