ଏଣିକି ସରକାର ଚାହିଁଲେ ଜଣେ ସନ୍ଦିଗ୍ଧକୁ କରିପାରିବେ ଆତଙ୍କବାଦୀ ଘୋଷଣା, ଲୋକସଭାରେ ଆଗତ ହେଲା ବେଆଇନ ଗତିବିଧି ନିରୋଧ ସଂଶୋଧନ ଆଇନ

ନୂଆଦିଲ୍ଲୀ(କେନ୍ୟୁଜ୍): ଲୋକସଭାରେ ଗୃହୀତ ହେଲା ବେଆଇନ ଗତିବିଧି ନିରୋଧ ସଂଶୋଧନ ଆଇନ-୨୦୧୯ । ସଂଶୋଧନ ସପକ୍ଷରେ ୨୮୪ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮ଟି ଭୋଟ ଆସିଥିଲା। ଦେଶ ପାଇଁ କାମ ଚିନ୍ତା କରୁଥିବା ବ୍ୟକ୍ତିଙ୍କୁ ସରକାର ସହୃଦୟତାର ସହ ସହଯୋଗ କରୁଛନ୍ତି। କିନ୍ତୁ ଅର୍ବାନ ନକ୍ସଲମାନଙ୍କୁ କୌଣସି ସ୍ଥଳେ ସମ୍ବେଦନ ପ୍ରଦର୍ଶନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହା ସହ ଆତଙ୍କବାଦ ଦମନ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ସଂପତ୍ତି ବାଜ୍ୟାପ୍ତି ଭଳି କେତେକ କ୍ଷମତା ଦେବାକୁ ଆଇନରେ ସଂଶୋଧନ ହୋଇଛି।

ଏନୟୁଏପିଏ ଆଇନରେ ସଂଶୋଧନ ନେଇ ଲମ୍ବା ବିତର୍କ ହୋଇଥିଲା। କେନ୍ଦ୍ର ସରକାର ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। କିଏ କ୍ଷମତାରେ ରହିଛି, ତାହା ଆଇନ ଆଗରେ କୌଣସି ଫରକ ପକାଏ ନାହିଁ। ଆତଙ୍କବାଦକୁ ରୋକିବା ପାଇଁ ୧୯୬୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସମୟରେ ଏହି ଆଇନ ଲାଗୁ ହୋଇଥିଲା। ଏଥିରେ ସଂଶୋଧନ ନେଇ ଜୁଲାଇ ୮ରେ ଗୃହମନ୍ତ୍ରୀ ଶାହ ବିଲ ଆଗତ କରିଥିଲେ।

ଆତଙ୍କବାଦ କେବଳ ବନ୍ଧୁକରେ ପରିଚାଳିତ ହୋଇନଥାଏ, ବରଂ ପ୍ରଚାର ଓ ପ୍ରସାର ମାଧ୍ୟମରେ ସମାଜ ପ୍ରଭାବିତ ହୋଇଥାଏ। ଏପରି ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କୁ ନକ୍ସଲ ଘୋଷଣା କରିବାରେ ବିରୋଧୀ କାହିଁକି ଆପତ୍ତି ଉଠାଉଛନ୍ତି ବୋଲି ସେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଆମେରିକା, ଚୀନ, ଇସ୍ରାଏଲ ଓ ପାକିସ୍ତାନ ଭଳି ଦେଶରେ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିବାର ଆଇନ ରହିଥିବା ସେ କହିଥଲେ। ବିତର୍କରେ ଭାଗ ନେଇ ବିଜେଡି ସାଂସଦ ପିନାକୀ ମିଶ୍ର ଆଇନରେ ସଂଶୋଧନକୁ ସ୍ୱାଗତ କରିଛନ୍ତି। କଂଗ୍ରେସ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.