Below header

ନବରଙ୍ଗପୁର: ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ, ସାଢେ ୫ କୋଟି ଟଙ୍କାର ସମ୍ପତ୍ତି ଠାବ

ନବରଙ୍ଗପୁର(କେନ୍ୟୁଜ୍): ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ । ସାଢେ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବ୍ରତ ଚୌଧୁରୀଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ ମୁଣ୍ଡାଗୁଡ଼ା ସ୍କୁଲରେ ସହକାରୀ ଶିକ୍ଷକ ଥିଲେ ସୁବ୍ରତ ଚୌଧୁରୀ । ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ପଟେଲ ସାହିରେ ଥିବା ଚାରି ମହଲା କୋଠାର ଦାମ୍‌ ହେଉଛି ୨ କୋଟି ୨୩ ଲକ୍ଷ ୬୬ ହଜାର ଟଙ୍କା । ନବରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ଥିବା ୨୩ଟି ପ୍ଲଟ୍‌ର ମୂଲ୍ୟ ପ୍ରାୟ ୧ କୋଟି ୩୩ ଲକ୍ଷ ୬୧ ହଜାର ଟଙ୍କା ।

ସେହିଭଳି ନବରଙ୍ଗପୁର ଅନ୍ୟାନ ସ୍ଥାନରେ ଥିବା ଘର, କାର୍‌, ବାଇକ୍‌, ବିଭିନ୍ନ ବ୍ୟାଙ୍କରେ ଥିବା ଜମା, ଇନଫୋଟେକ୍‌ କମ୍ପ୍ୟୁଟର ସେଣ୍ଟର ଥିବା କମ୍ପୁଟର ଓ ଜେରକ୍ସ ମେସିନ୍‌, ୫ ଶହ ଗ୍ରାମର ସୁନା ଅଳଙ୍କାର ଆଦି ଠାବ ହୋଇଛି । ୨୦୦୫ରୁ ଚାକିରି ଆରମ୍ଭ କରିଥିବା ବେଳେ ୨୦୧୯ ଜୁନ୍‌ରେ ଭଲେଣ୍ଟାରି ରିଟାଏରମେଣ୍ଟ ନେଇଥିଲେ ସୁବ୍ରତ । ତେବେ ଏତେ କମ୍‌ ସମୟ ଚାକିରି କାଳ ମଧ୍ୟରେ କିଭଳି ଏତେ ଟଙ୍କାର ସମ୍ପତ୍ତି କରିଲେ ତାହା ଏବେ ତାଙ୍କୁ ଅଡୁଆରେ ପକାଇଛି । କୋରାପୁଟ ଭିଜଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା । ଚଢାଉରେ ସାମିଲ ହୋଇଥିଲେ ମାଲକାନଗିରି, ରାୟଗଡ଼ା ଏବଂ କୋରାପୁଟ୍‌ ଜିଲ୍ଲାର ମିଳିତ ଟିମ୍‌ । ଏବେବି ଅଧିକ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.