Below header

ମଦ୍ରାସା ଦେଲା ଯନ୍ତ୍ରଣା, ଭୟରେ ବେଞ୍ଚ୍‌ ସହ ଦୌଡ଼ିଲା ବାଳକ

ମଧ୍ୟପ୍ରଦେଶ: ଗୁରୁ ଅଜ୍ଞାନ ଅନ୍ଧାର ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାନ୍ତି। ବିଦ୍ୟାର ଆଳୟ କୁହାଯାଉଥିବା ବିଦ୍ୟାଳୟକୁ କୁନି କୁନି ପିଲାମାନେ ଗୁରୁଙ୍କ ଠାରୁ ବିଦ୍ୟା ଶିକ୍ଷା କରିବାକୁ ଆସିଥାନ୍ତି। ବାପାମା’ଙ୍କ ପରେ ଶିକ୍ଷକଶିକ୍ଷୟିତ୍ରୀ ସେମାନଙ୍କର ପରିବାର ଭଳି ଯତ୍ନ ନେବେ ବୋଲି କୁନି ପିଲା ଭାବିଥାନ୍ତି। ପାଠ ବୁଝିନପାରିଲେ ଭଲରେ ଆଉଥରେ ବୁଝେଇ ଦେବେ। ଭବିଷ୍ୟତରେ ବଡ଼ ମଣିଷ ହେବା ପାଇଁ ଶିକ୍ଷା ଦେବେ ଜଣେ ଶିକ୍ଷକଙ୍କ ଠାରୁ ଏଭଳି ଆଶା ରଖିଥାନ୍ତି ଛାତ୍ରଛାତ୍ରୀ। କିନ୍ତୁ ଗୁରୁ ଯଦି ରାକ୍ଷସ ପାଲଟିଯାନ୍ତି ଆଉ ଛାତ୍ରଛାତ୍ରୀଙ୍କୁ ଅକଥନୀୟ ଅତ୍ୟାଚାର କରନ୍ତି। ତେବେ କୋମଳମତି ପିଲାଟି ଉପରେ ଏହାର କିଭଳି ପ୍ରଭାବ ପଡ଼ିବ!

ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ। ସ୍ଥାନୀୟ ଅଶୋକା ଗାର୍ଡେନ୍‌ ଅଞ୍ଚଳରେ ଥିବା ଏକ ମଦ୍ରାସାରେ ପଢ଼ୁଥିବା ଜଣେ ବାଳକକୁ ସେଠାକାର ମୌଲନା ଅତ୍ୟାଚାର କରିଥିବା ନେଇ ଘଟଣା ସାମ୍ନାକୁ ଆସିଛି। ବାଳକଟି ବେଞ୍ଚ୍‌ରେ ବନ୍ଧା ହୋଇଥିବା ଅବସ୍ଥାରେ ରାସ୍ତାରେ ଦୌଡ଼ୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବେଞ୍ଚ୍‌ରେ ବନ୍ଧାହୋଇଥିବା ବାଳକ ସହ ଆଉ ଜଣେ ବାଳକକୁ ଉଦ୍ଧାର କରି ଥାନାକୁ ଆଣି ଚେନ୍‌ରୁ ମୁକ୍ତ କରିଥିଲା।

ପରେ ବାଳକଟି ଯାହା କହିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପିଲାଟିର କହିବାନୁସାରେ, ସେ ସ୍ଥାନୀୟ ଅଶୋକା ଗାର୍ଡେନ୍‌ସ୍ଥିତ ଜକରିଆ ମସ୍‌ଜିଦ୍‌ରେ ରହି ପାଠ ପଢ଼େ। ସେଠାକାର ମୁଫ୍‌ତି ମହମ୍ମଦ ସାଦ ଏବଂ ହାଫିଜ ସଲମାନ୍‌ ତାଙ୍କୁ ପ୍ରବଳ ମାଡ଼ ମାରନ୍ତି। ଗତ ଶୁକ୍ରବାର ସେମାନେ ବାଳକଟିକୁ ଲୁହାର ଏକ ବେଞ୍ଚ୍‌ରେ ବାନ୍ଧିଦେଇଥିଲେ। ପଢ଼ାବେଳେ ମୌଲବୀ ଏତେ ଜୋର୍‌ରେ ପିଟନ୍ତି ଯେ ରାତିସାରା କଷ୍ଟ ହୁଏ ବୋଲି ଉଦ୍ଧାର ବାଳକଟି କାନ୍ଦି କାନ୍ଦି ପୋଲିସ ଆଗରେ କହିଥିଲା। ବେଳେବେଳେ ମୌଲବୀ ଲୁହା ପାଇପ୍‌ରେ ମଧ୍ୟ ମାଡ଼ ମାରନ୍ତି। ସେଠାରେ ଖାଇବା ମଧ୍ୟ ନିମ୍ନମାନର ଦିଆଯାଏ ବୋଲି ଦୁଇ ପିଲା କହିଛନ୍ତି।

ଏହାସହ ପଢ଼ନ୍ତୁ: ଜମ୍ମୁ-କଶ୍ମୀର ଯିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀଙ୍କୁ ମିଳିଲା ଅନୁମତି

ତେବେ ଘଟଣା ପରେ ଆସିଷ୍ଟାଣ୍ଟ ଏସ୍‌ପି ସଞ୍ଜୟ ସାହୁ କହିଛନ୍ତି ଯେ, ଏ ସମ୍ପର୍କରେ ସୂଚନା ମିଳିଛି। ଚାଇଲ୍ଡ ଲାଇନ୍‌ର ଅଭିଯୋଗ ପ୍ରକାରେ ପୁଲିସ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟର ଧାରା ୭୫ ଏବଂ ୮୫ ପ୍ରକାରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.