Below header

ଛିଃ ଇଏ କି ପ୍ରେମ! ଲିଭ୍‌-ଇନ୍‌ ପାର୍ଟନରକୁ ମାରି ବାଥରୁମ୍‌ କାନ୍ଥରେ ରଖି ପ୍ଲାଷ୍ଟର ମାରିଦେଲା ପ୍ରେମିକ, ୪ ମାସ ପରେ ଏମିତି ହେଲା ଖୁଲାସା

ମହାରାଷ୍ଟ୍ରର ପାଲଘରର ବୃନ୍ଦାବନ ଦର୍ଶନ କମ୍ପ୍ଲେକ୍ସରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଲିଭ୍‌ ଇନ୍‌ ପାର୍ଟନରକୁ କଥିତ ଭାବେ ହତ୍ୟା କରି ତାଙ୍କ ମୃତଦେହକୁ ଫ୍ଲାଟ୍‌ର କାନ୍ଥରେ ପ୍ଲାଷ୍ଟର କରିଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କୁହାଯାଉଛି, ବୃନ୍ଦାବନ ଦର୍ଶନ କମ୍ପ୍ଲେକ୍ସର ଫ୍ଲାଟ ନମ୍ବର ୧୦୧ରେ ସୁରଜ ହରମଳକର ଓ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ଅମିତା ମୋହିତେ ରହୁଥିଲେ।

ଆଖପାଖ ଲୋକଙ୍କ କହିବାନୁସାରେ, ଅନେକ ଦିନ ହେବ କେବଳ ସୁରଜଙ୍କୁ ହିଁ ଦେଖିବାକୁ ମିଳୁଥିଲା। ଅମିତାଙ୍କ ବିଷୟରେ କିଛି ଖବର ନଥିଲା। ସୁରଜଙ୍କୁ ତାଙ୍କ ବିଷୟରେ ପଚାରିଲେ ସେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇପାରୁନଥିଲେ। ଫଳରେ କେହି ଜଣେ ଏନେଇ ଥାନାରେ ଅଭିଯୋଗ କରିଥିଲା। ପରେ ପୋଲିସ ଏନେଇ ସୁରଜଙ୍କୁ ପଚରାଉଚରା କରିବାକୁ ସେ ସବୁ ସତ ମାନିଥିଲା ଓ ଧରାପଡ଼ିବାର ଭୟରେ ପ୍ରେମିକାକୁ କାନ୍ଥରେ ପ୍ଲାଷ୍ଟର କରିଥିବା ସ୍ୱୀକାର କରିଥିଲା। ପୋଲିସ ଘଟଣାସ୍ଥଳକୁ ଫରେନ୍‌ସିକ୍‌ ଟିମ୍‌ ଓ ଶ୍ରମିକଙ୍କୁ ନେଇ ପହଞ୍ଚିଥିଲା। ପରେ ପୋଲିସ କାନ୍ଥ ତାଡ଼ିବାରୁ ତା’ ଭିତରୁ ୩୨ ବର୍ଷୀୟ ଅମିତାଙ୍କ ମୃତଦେହ ମିଳିଥିଲା।

ରିପୋର୍ଟ ମୁତାବକ, ସୁରଜ ଓ ଅମିତା ଏହି ଫ୍ଲାଟ୍‌ରେ ଭଡ଼ାରେ ରହୁଥିଲେ। କୁହାଯାଉଛି ଯେ ପୋଲିସ ବାଥରୁମ୍‌ର କାନ୍ଥ ତାଡ଼ି ଅମିତାଙ୍କ ଶବ ବାହାର କରିଥିଲା। ଏହି ଶବ ଦୀର୍ଘ ଦିନ ହେବ ଲୁଚାଯାଇଥିଲା। ଶବ ଚାରି ମାସ ପୁରୁଣା ହେବ ବୋଲି କୁହାଯାଉଛି। ଶବ ଅଧା ସଢ଼ି ବି ଯାଇଛି। ପୋଲିସ ଶବକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଇବା ସହ ତଦନ୍ତ ପାଇଁ ସୁରଜକୁ ଗିରଫ କରିଛି। ତେବେ ଏଭଳି ପ୍ରେମିକାକୁ ହତ୍ୟା କରି ଲୁଚାଇବାର କାରଣ କ’ଣ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.