ବର୍ଷା ପାଣି ନିଷ୍କାସନ ନ ହେବାରୁ ଟାଓ୍ଵାର ଉପରେ ଚଢ଼ି ପ୍ରତିବାଦ କଲେ ଯୁବକ, ଅଫିସରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଓହ୍ଲାଇଲେ

ଡ୍ରେନେଜ୍‌ କାମ ଠିକ୍‌ ଭାବେ ହୋଇନଥିବାରୁ ଯୁବକଙ୍କ ନିଆରା ପ୍ରତିବାଦ। କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଟାଓ୍ଵାର ଉପରକୁ ଚଢ଼ିଗଲେ ବ୍ୟକ୍ତି। ଆଉ ତା’ପରେ ତାଙ୍କୁ ଓହ୍ଲାଇବାକୁ ନାକେଦମ୍‌ ହୋଇଛନ୍ତି ପ୍ରଶାସନ ଓ ଅଗ୍ନିଶମ ବିଭାଗ। ରାଜସ୍ଥାନର ସିକର ଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏଠାରେ ହରିରାମ ମିଲ ନାମକ ଯୁବକ ପ୍ରତିବାଦ କରିବାକୁ ମୋବାଇଲ ଟାଓ୍ଵାର ଉପରେ ଚଢ଼ିଯାଇଥିଲେ, ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଟାଓ୍ଵାରରେ ଚଢ଼ିଥିବା ବ୍ୟକ୍ତି ତଳକୁ ଓହ୍ଲାଇବାକୁ ପ୍ରସ୍ତୁତ ବି ନ ଥିଲେ। ବ୍ୟକ୍ତିଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନଥିବା ଦେଖି ନଗର ପରିଷଦ ପ୍ରଶାସନ ୨୦ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ନଗର ପରିଷଦ କମିଶନ ଲିଖିତ ଭାବେ ଆଶ୍ୱାସନା ଦେବା ପରେ ହରିରାମ ଟାଓ୍ଵାରରୁ ତଳକୁ ଓହ୍ଲାଇଥିଲେ। ହରିରାମଙ୍କୁ ଟାଓ୍ଵାରରୁ ତଳକୁ ଓହ୍ଲାଇବା ପାଇଁ ପ୍ରଶାସନକୁ ୩ ଘଣ୍ଟା ଲାଗିଥିଲା। ଅନ୍ୟପଟେ ବ୍ୟକ୍ତିଙ୍କୁ ଏ ଅବସ୍ଥାରେ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଭିଡ଼ ଜମିଯାଇଥିଲା।

ସୂଚନାଯୋଗ୍ୟ ଯେ ଶନିବାର ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ସିକର ସହର ଜଳମଗ୍ନ ହୋଇଯାଇଥିଲା। ନବଲଗଡ଼ ରୋଡ୍‌ରେ ୩-୪ ଫୁଟ୍‌ ପାଣି ଜମି ଯାଇଥିଲା। ବର୍ଷା ବନ୍ଦ ହେବା ପରେ ହରିରାମ କୃତ୍ରିମ ବନ୍ୟାକୁ ବିରୋଧ କରି ମୋବାଇଲ ଟାଓ୍ଵାରରେ ଚଢ଼ିଯାଇଥିଲେ।

Also Read: ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ: ଏଥରକ ବି ଛାତ୍ରଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.