ୟୁପି: ମନ୍ଦିର ଯାଇ କଟୁରୀରେ ନିଜ ବେକ କାଟିଦେଲେ ଯୁବକ, ଦେବୀ ମା’ଙ୍କୁ ଖୁସି କରିବା ପାଇଁ ନେଲେ ଭୟଙ୍କର ପଦକ୍ଷେପ
ଉତ୍ତର ପ୍ରଦେଶର ଝାନ୍ସୀରୁ ଆସିଛି ଏକ ସମ୍ବେଦନଶୀଳ ମାମଲା। ଏଠାରେ ୨୬ ବର୍ଷୀୟ ଯୁବକ ନେଇଛନ୍ତି ଭୟଙ୍କର ପଦକ୍ଷେପ। ଦେବୀ ମା’ଙ୍କୁ ଖୁସି କରିବା ପାଇଁ ସେ କଟୁରୀରେ ନିଜ ବେକ କାଟି ଦେଇଛନ୍ତି।
![man](https://knewsodisha.com/wp-content/uploads/2023/11/man-3.jpg)
ଉତ୍ତର ପ୍ରଦେଶର ଝାନ୍ସୀରୁ ଆସିଛି ଏକ ସମ୍ବେଦନଶୀଳ ମାମଲା। ଏଠାରେ ୨୬ ବର୍ଷୀୟ ଯୁବକ ନେଇଛନ୍ତି ଭୟଙ୍କର ପଦକ୍ଷେପ। ଦେବୀ ମା’ଙ୍କୁ ଖୁସି କରିବା ପାଇଁ ସେ କଟୁରୀରେ ନିଜ ବେକ କାଟି ଦେଇଛନ୍ତି। ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଆଶ୍ୱସ୍ତିକର କଥା ଯେ ସମୟ ପୂର୍ବରୁ ସେଠାରେ ଲୋକମାନେ ପହଞ୍ଚି ଯୁବକଙ୍କୁ କାବୁ କରିନେଇଥିଲେ ଏବଂ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ।
ପୋଲିସ ପହଞ୍ଚି ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ଯୁବକଙ୍କ ପରିଚୟ ମିଳିଛି। ସେ ହେଲେ, ନୀରଜ୍ ରାୟକଓ୍ଵାର, ତାଙ୍କ ଘର ଜିଲ୍ଲାର ବରୁଆସାଗର ଥାନା ଅଞ୍ଚଳରେ। ଗୁରୁବାର ସକାଳେ ନୀରଜ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଯୁବକ କହିଛନ୍ତି, ସେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ମା’ କାଳୀଙ୍କୁ ସେ ଖୁସି କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ସିଲ ମା’ଙ୍କ ମନ୍ଦିରରେ ପହଞ୍ଚି ସେଠାରେ ନିଜ ବେକ କାଟିବାକୁ ପ୍ରୟାସ କରିଥିଲେ। ଏହି ଦୃଶ୍ୟ ଦେଖି ମନ୍ଦିରରେ ଉପସ୍ଥିତ ଲୋକେ ତାଙ୍କୁ ଅଟକାଇଥିଲେ ଏବଂ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ।
ଏସ୍ପି ଜ୍ଞାନେନ୍ଦ୍ର କୁମାର କହିଛନ୍ତି, ୨୬ ବର୍ଷୀୟ ଯୁବକ ଅଧିକ ମଦ ନିଶାରେ ବନଦୁର୍ଗା ଗାଁ ନିକଟସ୍ଥ ଦେବୀ ମା’ଙ୍କ ମନ୍ଦିରରେ ପହଞ୍ଚିଥିଲେ। ମା’ଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ସେଠାରେ ରଖାଯାଇଥିବା କଟୁରୀରେ ସେ ନିଜ ବେକ କାଟି ଦେଇଥିଲେ।