ବର ହେବା ପୂର୍ବରୁ ଦାନ୍ତ ସର୍ଜରୀ କରିବାକୁ ଯାଇଥିଲେ ଯୁବକ, ଡେଣ୍ଟାଲ କ୍ଲିନିକ୍‌ରେ ହେଲା ମୃତ୍ୟୁ

ହାଇଦ୍ରାବାଦର ଏକ ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ ଦନ୍ତ ପ୍ରକ୍ରିୟା (ଡେଣ୍ଟାଲ ପ୍ରୋସିଜର୍‌) ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ୨୮ ବର୍ଷୀୟ ଏହି ବ୍ୟବସାୟୀ ବିବାହ ପୂର୍ବରୁ ନିଜର ହସ ବଢ଼ାଇବା ପାଇଁ ଡେଣ୍ଟାଲ ପ୍ରୋସିଜର୍‌ ବୁକ୍ କରିଥିଲେ ।

ହାଇଦ୍ରାବାଦର ଏକ ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ ଦନ୍ତ ପ୍ରକ୍ରିୟା (ଡେଣ୍ଟାଲ ପ୍ରୋସିଜର୍‌) ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ୨୮ ବର୍ଷୀୟ ଏହି ବ୍ୟବସାୟୀ ବିବାହ ପୂର୍ବରୁ ନିଜର ହସ ବଢ଼ାଇବା ପାଇଁ ଡେଣ୍ଟାଲ ପ୍ରୋସିଜର୍‌ ବୁକ୍ କରିଥିଲେ । ମୃତକ ହେଲେ, ଲକ୍ଷ୍ମୀ ନାରାୟଣ ଭିଞ୍ଜାମ୍‌ ।

ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଫେବୃୟାରୀ ୧୬ରେ ଲକ୍ଷ୍ମୀ ନାରାୟଣ ‘ସ୍ମାଇଲ ଡିଜାଇନିଂ’ ପ୍ରୋସିଜର ପାଇଁ ଜୁବୁଲି ହିଲ୍ସର ରୋଡ୍ ନମ୍ବର ୩୭ସ୍ଥିତ ଡେଣ୍ଟାଲ କ୍ଲିନିକ୍‌ ଏକୁଟିଆ ଯାଇଥିଲେ । ସନ୍ଧ୍ୟାରେ ଯେତେବେଳେ ତାଙ୍କ ବାପା ଫୋନ୍ କଲ୍‌ କରିଥିଲେ, ସେତେବେଳେ କ୍ଲିନିକ୍ କର୍ମଚାରୀମାନେ ଉତ୍ତର ଦେଇଥିଲେ ଯେ ତାଙ୍କ ପୁଅ ଡେଣ୍ଟାଲ ପ୍ରକ୍ରିୟା ସମୟରେ ଚେତାଶୂନ୍ୟ ହୋଇଯାଇଛନ୍ତି।

ତାଙ୍କ ବାପା ଦାବି କରିଛନ୍ତି ଯେ ଲକ୍ଷ୍ମୀ ନାରାୟଣଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜୁବୁଲି ହିଲ୍ସ ପୋଲିସ ନିକଟରେ ହୋଇଥିବା ଅଭିଯୋଗରେ ପରିବାର ଲୋକେ କହିଛନ୍ତି ଯେ ପ୍ରୋସିଜର ସମୟରେ ଆନାସ୍ଥେସିଆ ଦିଆଯିବା ପରେ ଭିଞ୍ଜାମ ଚେତାଶୂନ୍ୟ ହୋଇପଡିଥିଲେ । ଓଭରଡୋଜ୍‌ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଧାରା ୩୦୪-ଏ ଅନୁଯାୟୀ କ୍ଲିନିକ ବିରୋଧରେ ମାମଲା ରୁଜୁ କରିଛି । ଏଥିସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।