ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂଙ୍କ ସୁରକ୍ଷା ଟିମ୍ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା ଜଣାଯାଇଛି । ମଙ୍ଗଳବାର ସିଏମ୍ଙ୍କ ଗସ୍ତ ପୂର୍ବରୁ ଏଠାରେ ଜିରିବାମ୍ ପହଞ୍ଚିଥିବା ଅଗ୍ରୀମ ସୁରକ୍ଷା ଦଳ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି । କହି ରଖୁଛୁ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂ ଜିରିବାମ୍ ଗସ୍ତରେ ଆସିବାର ଅଛି ।
ଏହି ଆକ୍ରମଣରେ ରାଜ୍ୟ ପୋଲିସ ସିଆଇଡି, ସିଆଇଏସ୍ଏଫ୍ ଯବାନଙ୍କ ସମେତ ୨ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଜଣେ ଆହତଙ୍କୁ ଇମ୍ଫାଲ ପଠାଯାଇଛି ।
ଗତ ୨ ଦିନ ଧରି ଲଗାତାର ଭାବେ ଜିରିବାମରୁ ଆକ୍ରମଣର ଖବର ଆସୁଛି, ଏହି କାରଣରୁ ଏଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସ୍ଥିତି ଅନୁଧ୍ୟାନ କରିବା ପାଇଁ ମଣିପୁର ସିଏମ୍ ବିରେନ ସିଂ ମଙ୍ଗଳବାର ଜିରିବାମ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଜଣେ ଅଧିକାରୀ କହିଛନ୍ତି ଯେ ଅଗ୍ରୀମ ସୁରକ୍ଷା ଦଳ ଇମ୍ଫାଲରୁ ଜିରିବାମ୍ ଜିଲ୍ଲା ଅଭିମୁଖେ ଯାଉଥିଲେ । ଏହି ସମୟରେ ସକାଳ ପ୍ରାୟ ସାଢ଼େ ୧୦ଟାରେ ୩୭ ନମ୍ବର ଜାତୀୟ ରାଜପଥ (ଇମ୍ଫାଲ୍-ସିଲଚର-ଜିରିବାମ୍)ର କୋଟଲେନ୍ ନିକଟ ଟି-ଲାଇଜାଙ୍ଗ ଗ୍ରାମରେ ଏହି ଘଟଣା ଘଟିଥିଲା । ଏଥିରେ ଦୁଇ ସୁରକ୍ଷା କର୍ମୀ ଆହତ ହୋଇଥିଲେ ।
ବର୍ତ୍ତମାନ ପୋଲିସ କମାଣ୍ଡୋ ଏବଂ ଆସାମ ରାଇଫଲ୍ସ (ଏଆର୍)ର ମିଳିତ ଟିମ୍ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି । ସୂଚନାଯୋଗ୍ୟ ଯେ ଜୁନ୍ ୬ରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟ୍ ପରେ ଜିଲ୍ଲାରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଏହି ହିଂସା ଘଟଣା ଯୋଗୁ ପାଖାପାଖି ୭୦ଟି ଘର ଏବଂ କିଛି ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଥିଲା । ଏହି କାରଣରୁ ଶହ ଶହ ଲୋକ ଅଞ୍ଚଳ ଛାଡି ପଳାଇଥିଲେ । ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଜିରିବାମ୍ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।